ନବୀନ ନାଁ ନେଇଯିବେ ବୋଲି ମେଟ୍ରୋ ପ୍ରକଳ୍ପକୁ ବଳି ପକାଇ ଦେଲେ ରାଜ୍ୟ ସରକାର
1 min read
ନନ୍ଦିଘୋଷ ବ୍ୟୁରୋ: ଓଡିଶାର ମେଟ୍ରୋ ରେଳ ସ୍ବପ୍ନ ସ୍ବପ୍ନରେ ରହିଗଲା । ନବୀନ ପଟ୍ଟନାୟକ ନାଁ ନେଇଯିବେ ବୋଲି ବିଜେପି ସରକାର ମେଟ୍ରୋ ପ୍ରକଳ୍ପ କରିବାକୁ ଚାହୁନାହିଁ ବୋଲି ଅଭିଯୋଗ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେଡି । ରାଜ୍ୟ ସରକାରଙ୍କ ଏପରି ଆଭିମୁଖ୍ୟ ଓଡ଼ିଶାକୁ ପଛକୁ ନେଇଯାଇଛି ବୋଲି ବିଜେଡି ଅଭିଯୋଗ କରିଛି । ଯାହାର ଜବାବରେ ବିଜେପି କହିଛି ରାଜଧାନୀରେ ମେଟ୍ରୋ ପ୍ରକଳ୍ପ ଆବଶ୍ୟକତା ନାହିଁ । ଯାହାକୁ ନେଇ ରାଜନୀତି ତେଜିବାରେ ଲାଗିଛି ।
ନବୀନଙ୍କ ଶାସନ ସମୟରେ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ସାଜିଥିଲା ଦେଶ ତଥା ବିଶ୍ବର ଏକ ପ୍ରମୁଖ ଡେଷ୍ଟିନେସନ । କ୍ରୀଡା, ଶିଳ୍ପୟନ, ଆଇଟି, ପର୍ଯ୍ୟଟନ ସବୁଥିରେ ମୁଖ୍ୟ ଆକର୍ଷଣ ସାଜିଥିଲା ଭୁବନେଶ୍ବର । ସେଥିପାଇଁ ହୁ ହୁ ହୋଇ ବଢୁଥିବା ଭୁବନେଶ୍ବରକୁ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ସହର ପରି ଗଢି ତୋଳିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମେଟ୍ରୋ ପ୍ରକଳ୍ପର ପରିକଳ୍ପନା କରିଥଲେ । ୨୦୨୩ ଏପ୍ରିଲ ୧ ତାରିଖରେ ମେଟ୍ରୋ ପ୍ରକଳ୍ପକୁ ଅନୁମୋଦନ କରିଥିଲେ ନବୀନ । ୨୦୨୪ ଜାନୁଆରୀ ପହିଲାରେ ତ୍ରିଶୁଳିଆରେ ନବୀନ ପ୍ରଳ୍ପଳର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କାମ ମଧ୍ୟ ଆରମ୍ଭ ହୋଇଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ଗଡିଥାନ୍ତା । ପ୍ରକଳ୍ପ ପାଇଁ ମୋଟ ୬ ହଜାର ୨୫୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା । ହେଲେ ନବୀନଙ୍କ ଏହି ସ୍ବପ୍ନକୁ ବିଜେପି ସରକାର ଧୂଳିସାତ କରିଛି । ତାହା କେବଳ ଶ୍ରେୟ ରାଜନୀତି ପାଇଁ । ଯାହାକୁ ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ବିଜେଡି ସରକାର ମେଟ୍ରୋ ଶ୍ରେୟ ନେଇଯିବ ବୋଲି ବିଜେପି ପ୍ରକଳ୍ପ କରୁନାହିଁ । ବିଜେପି ସରକାରକୁ ଆସିବା ପରେ ଓଡିଶାବାସୀଙ୍କ ସବୁ ସ୍ବପ୍ନକୁ ଧୂଳିସାତ କରୁଛି ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା । ମେଟ୍ରୋ ପ୍ରକଳ୍ପ ହେଲେ ନବୀନ ପଟ୍ଟନାୟକ ନାଁ ନେଇଯିବେ ବୋଲି ବିଜେପି ପ୍ରକଳ୍ପକୁ ବନ୍ଦ କରିଦେଲା । ବିଜେପି ବିଧାୟକ ବାବୁ ସିଂହ ଏହାର ଜବାବରେ କହିଛନ୍ତି ରାଜଧାନୀରେ ମେଟ୍ରୋର ଆବଶ୍ୟକତା ନାହିଁ ।
ଅନ୍ୟପଟେ ଭୁବେନଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ମେଟ୍ରୋ ପ୍ରକଳ୍ପ ନେଇ ବିଜେପି ବିଧାୟକ ଓ ମନ୍ତ୍ରୀମାନେ କେତେବେଳେ କେଉଁ ସୂଚନା ଦେଉଛନ୍ତି ତାହାର ତାଳମେଳ ନାହିଁ । ଭୁବନେଶ୍ବର ମେଟ୍ରୋ ଚୁକ୍ତିନାମା ବାତିଲ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଭୁବନେଶ୍ବର ପାଇଁ ମେଟ୍ରୋ ଜରୁରୀ ହୋଇପଡ଼ିଛି । ବିଜେଡି ସରକାର କାମ ଆରମ୍ଭ କରିଥିଲେ । ପ୍ରକଳ୍ପ ଶେଷ ହେଲେ କାଳେ ନବୀନ ନାଁ ନେଇଯିବେ ତେଣୁ ବିଜେପି ପ୍ରକଳ୍ପକୁ ବନ୍ଦ କରିଛି । ଓଡିଶାବାସୀ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି ।
୨୦୨୭-୨୮ ସୁଦ୍ଧା ମେଟ୍ରୋ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ସରକାର ବଦଳିବା ପରେ ସବୁ କିଛି ବଦଳିଗଲା ଓ ମେଟ୍ରୋ ରେଳ ଏବେ ଅନ୍ଧାରକୁ ଚାଲିଯାଇଛି ।