ଜୋରଦାର ହେବ ଆଇନଗତ ଲଢ଼େଇ: ସତ୍ୟପାଠ ଦାଖଲ ନେଇ ପୂର୍ବତନ ଜଳ ଆୟୋଗ ଅଧ୍ୟକ୍ଷ ରାଜେଶ କୁମାର ନିଯୁକ୍ତ

1 min read

ଭୁବନେଶ୍ୱର: ମହାନଦୀ ପାଇଁ ଆଇନଗତ ଲଢ଼େଇ ଜୋରଦାର ହେବ । ଛତିଶଗଡ଼ ସହିତ ଲାଗିଥିବା ବିବାଦର ହେବ ଅବସାନ । ଟ୍ରିବ୍ୟୁନାଲରେ ଦାଖଲ ପାଇଁ ସତ୍ୟପାଠ ପ୍ରସ୍ତୁତ କରିବାକୁ କେନ୍ଦ୍ରୀୟ ଜଳ ଆୟୋଗର ପୂର୍ବତନ ଅଧ୍ୟକ୍ଷ ରାଜେଶ କୁମାରଙ୍କୁ ରାଜ୍ୟ ଜଳସମ୍ପଦ ବଭାଗ ନିଯୁକ୍ତ କରିଛି । ମହାନଦୀ ଓଡ଼ିଶାର ଜୀବନରେଖା ହୋଇଥିବାରୁ ରାଜନୀତି ନକରି ରାଜ୍ୟ ସ୍ୱାର୍ଥ ପାଇଁ ବିରୋଧୀ ଉଦ୍ୟମ କରିବା ଉଚିତ ବୋଲି ବିଜେଡି କହିଛି । ଅନ୍ୟପଟେ ପରସ୍ପର ଉପରେ କାଦୁଅ ଫିଙ୍ଗା ରାଜନୀତିରେ ମାତିଛନ୍ତି ବିରୋଧୀ । ଆଉ ଚଳିବନି ଛତିଶଗଡ଼ର ମନ୍‌ମାନି । ଟ୍ରିବ୍ୟୁନାଲରେ ତଥ୍ୟ ଭିତ୍ତିକ ଯୁକ୍ତି ରଖିବ ଓଡ଼ିଶା । ସତ୍ୟପାଠ ପ୍ରସ୍ତୁତି ପାଇଁ ନିଯୁକ୍ତ ହେଲେ ଅଧିକାରୀ । ମହାନଦୀ ବିବାଦକୁ ନେଇ ବୟାନବାଜି । ମହାନଦୀ ଜଳ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଛି ବିବାଦ । ମାମଲା ଏବେ ଟ୍ରିବ୍ୟୁନାଲରେ ପହଞ୍ଚିଛି । ଛତିଶଗଡ଼ ସରକାର ବେଆଇନ ଭାବେ ମହାନଦୀର ଉପରେ ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିଛନ୍ତି । ଯାହାକୁ ବିରୋଧ କରି ଆଇନଗତ ଲଢ଼େଇ ଲଢୁଛି ଓଡ଼ିଶା । ଛତିଶଗଡ଼ର ଏହି ବେଆଇନ କାମର ଦଶା ଭୋଗୁଛନ୍ତି ଓଡ଼ିଶାବାସୀ । ଉଭୟ ମୌସୁମୀ ଓ ଅଣ-ମୌସୁମୀ ଋତୁରେ ଓଡ଼ିଶାରେ ଜଳଭାବ ଦେଖାଦେଉଛି । ଏନେଇ ଜଳ ବିବାଦ ପ୍ରାଧିକରଣରେ ସତ୍ୟପାଠ ଜରିଆରେ ବଳିଷ୍ଠ ଯୁକ୍ତି ବାଢ଼ିବ ରାଜ୍ୟ । ଏଥିଲାଗି କେନ୍ଦ୍ରୀୟ ଜଳ ଆୟୋଗର ପୂର୍ବତନ ଅଧ୍ୟକ୍ଷ ରାଜେଶ କୁମାରଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ହକ୍ ପାଇଁ ଲଢ଼େଇ ଜାରି ରହିବ ବୋଲି ବିଜେଡି କହିଛି ।

ଛତିଶଗଡ଼ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ବିରୋଧରେ ସଂସଦରୁ ଆରମ୍ଭ କରି ଟ୍ରିବ୍ୟୁନାଲ ଯାଏ ତଥ୍ୟ ରଖି ନ୍ୟାୟ ଦାବି କରିଛି ଓଡ଼ିଶା । ହେଲେ ସମସ୍ୟାର ସମାଧାନ ହେଉନି କି ରାଜନୀତି ଥମିବାର ନାଁ ନେଉନାହିଁ । ଜଳ ବିବାଦର ସମାଧାନ ପାଇଁ ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ବିରୋଧୀ ମଧ୍ୟ ପରସ୍ପରକୁ ଦୋଷ ଦେଉଛନ୍ତି । ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ ଦ୍ୱାରା ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିଥିବା ଜଳ ବିବାଦର ସମାଧାନ ହେବ ବୋଲି ଆଶା ସଂଚାର ହୋଇଛି ।

Leave a Reply