ସବଳ ହେଉଛି ଓଡ଼ିଶା ଅର୍ଥନୀତି, ପୁଞ୍ଜିନିବେଶ ଆହୁରି ଗତି ଦେବ

1 min read

ଭୁବନେଶ୍ୱର: ସବଳ ହେଉଛି ରାଜ୍ୟ ଅର୍ଥନୀତି । ଜୁଲାଇ ମାସ ଶେଷ ସୁଦ୍ଧା ଟିକସ ଅଭିବୃଦ୍ଧି ୨୧.୩୬ ପ୍ରତିଶତ ଥିବା ବେଳେ ପୁଞ୍ଜିନିବେଶ ଆଗାମୀ ବର୍ଷ ଆଣିବ ବିରାଟ ସମ୍ଭାବନା । ବିଶ୍ବ ଓ ଜାତୀୟ ଅର୍ଥନୀତି ଉନ୍ନତି-ଅବନତି ମଧ୍ୟ ଦେଇ ଗତି କରୁଛି । ଏହି ସମୟରେ ରାଜ୍ୟ ଅର୍ଥନୀତି ନିଜର ସ୍ଥିତାବସ୍ଥା ବଜାୟ ରଖିଛି । କରୋନା ପୂର୍ବବର୍ତ୍ତୀ ସମୟ ହେଉ କି ମହାମାରୀର ଶିଖର ବେଳେ କିମ୍ବା ଏହାର ପରବର୍ତ୍ତୀ ପର୍ଯ୍ୟାୟ ।

ରାଜ୍ୟ ଅର୍ଥନୀତି କୌଣସି ପରିସ୍ଥିତିରେ ନିମ୍ନଗାମୀ ହୋଇନି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ଅର୍ଥନୀତି ଭଲ ସ୍ଥିତିରେ ରହିଛି । ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ୫ହଜାର କୋଟିରୁ ଅଧିକ ଟଙ୍କାର ଟିକସ ଆଦାୟ ହୋଇଛି । ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସାମଗ୍ରୀକ ଭାବେ ଚଳିତ ବର୍ଷ ଟିକସ ବାବଦରେ ୪୬ ହଜାର କୋଟି ଓ ଅଣଟିକସ ରାଜ୍ୟ ବାବଦକୁ ୪୮ ହଜାର ୨୦୦ କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରଖାଯାଇଛି । ଜୁଲାଇ ଶେଷ ସୁଦ୍ଧା ୩୨.୦୬ ପ୍ରତିଶତ ଅର୍ଥ ଆଦାୟ ହୋଇଛି ।