ଓଡ଼ିଶା ସଙ୍ଗଠନକୁ ଗୁଜରାଟ ଢାଞ୍ଚାରେ ଗଢ଼ିବ ରାଜ୍ୟ କଂଗ୍ରେସ

1 min read

ନନ୍ଦିଘୋଷ ବ୍ୟୁରୋ: ଗୁଜରାଟ କଂଗ୍ରେସ ଢାଞ୍ଚାରେ ଓଡ଼ିଶାରେ ସଙ୍ଗଠନ ଗଢିବ ରାଜ୍ୟ କଂଗ୍ରେସ । ତୃଣମୂଳ ସ୍ତରରେ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଓଡିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବା ପାଇଁ ବାହାର ରାଜ୍ୟର ନେତାଙ୍କ ସହ ଜିଲ୍ଲା ଦାୟିତ୍ୱରେ ଥିବା ଦଳର ଉପସଭାପତି ଓ ବରିଷ୍ଠ ନେତାଙ୍କୁ ଦଳ ଦାୟିତ୍ୱ ଦେଇଛି । ସେମାନେ ଜିଲ୍ଲା ସଭାପତି ଚୟନ କରିବା ସହ ତୃଣମୂଳସ୍ତରରେ ନେତା ବାଛିବେ । ଯାହାକୁ ନେଇ ଦଳ ଭିତରେ ନୂଆ ଜୋସ ଦେଖିବାକୁ ମିଳିଛି ।

ଦାୟିତ୍ୱ ନେବାର ୫ ମାସ ପରେ ବି ଜିଲ୍ଲା ସଭାପତି ବାଛିପାରୁନାହାନ୍ତି ପିସିସି ସଭାପତି । କିଏ ଜିଲ୍ଲା ସଙ୍ଗଠନର ମଙ୍ଗ ଧରିଲେ ତୃଣମୂଳ ସ୍ତରରେ କଂଗ୍ରେସ ସଶକ୍ତ ହେବ ସେ ନେଇ କସରତ ଆରମ୍ଭ କରିଛି ଦଳ । ଗୁଜରାଟ ଢାଞ୍ଚାରେ ଓଡିଶାର ତୃଣମୂଳ ସଙ୍ଗଠନ ସଜାଡିବାକୁ ପିସିସି ସଭାପତି ଅଣ୍ଟା ଭିଡିଛନ୍ତି । ଦଳ ଦାୟିତ୍ୱରେ ଥିବା ବରିଷ୍ଠ ନେତାଙ୍କ ସହ ପଡୋଶୀ ରାଜ୍ୟର ନେତାଙ୍କୁ ଜିଲ୍ଲା ସଭାପତି ଚୟନ ଦାୟିତ୍ୱ ଦେଇଛନ୍ତି ପିସିସି ସଭାପତି । ଜିଲ୍ଲା ଦାୟିତ୍ୱରେ ଥିବା ନେତାମାନେ ଜିଲ୍ଲାସ୍ତରରେ ସଭା ସମିତି କରି ଜିଲ୍ଲା ସଭାପତି ବାଛିବେ ।

ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନ ମଜଭୁତ କରିବା ପାଇଁ ନେତାଏ ଲାଗି ପଡିଛନ୍ତି l ରାଜ୍ୟବ୍ୟାପୀ ସଙ୍ଗଠନକୁ କ୍ରିୟାଶୀଳ କରିବାକୁ ଆରମ୍ଭ ହେବ ପ୍ରକ୍ରିୟା । ରଜ ଉତ୍ସବ ପରେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟାକୁ ଜୋରଦାର କରିବେ ଦାୟିତ୍ୱରେ ଥିବା ନେତା । ଉପକୂଳ ଜିଲ୍ଲାରୁ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ । ଏଥିଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ କଂଗ୍ରେସ ।

ରାଜ୍ୟରେ ଅସଜଡା କଂଗ୍ରେସ ସଙ୍ଗଠନକୁ ସଜାଡିବା ପାଇଁ ପିସିସି ସଭାପତି ଏଆଇସିସି ପରି ବିଭିନ୍ନ ମଡେଲକୁ କାର୍ଯ୍ୟକାରୀ କରୁଛନ୍ତି । ତେବେ ଗୁଜୁରାଟ ମଡେଲ ଓଡ଼ିଶାରେ ନେତା ଚୟନରେ କେତେ ସହାୟକ ହେବ ତାକୁ ନେଇ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।