କଂଗ୍ରେସକୁ ଘର ସଜାଡ଼ିବା ଚିନ୍ତା, କାଲି ଦଳର ବିଧାୟକ ଓ ବରିଷ୍ଠ ନେତାଙ୍କୁ ଭେଟିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: କଂଗ୍ରେସକୁ ଘାରିଛି ଘର ସଜାଡ଼ିବା ଚିନ୍ତା । ଆସନ୍ତାକାଲି ଦଳର ସମସ୍ତ ବିଧାୟକ, ପୂର୍ବତନ ପିସିସି ସଭାପତି ଓ ହେଭିଓ୍ବେଟଙ୍କ ସହ ଆଲୋଚନା କରିବେ ରାହୁଲ ଗାନ୍ଧୀ । ହାଇକମାଣ୍ଡଙ୍କ ଡାକରା ପାଇ କିଛି ବିଧାୟକ ଓ ବରିଷ୍ଠ ନେତା ଦିଲ୍ଲୀ ଯାଇଛନ୍ତି । ଆଜି ଅନ୍ୟ ନେତାମାନେ ଦିଲ୍ଲୀ ଯିବେ । କାହାକୁ ପିସିସି ସଭାପତି କରାଯିବ, ସଂଗଠନ କିପରି ମଜବୁତ ହେବ ସେନେଇ ରାହୁଲ ରାଜ୍ୟ କଂଗ୍ରେସ ନେତାଙ୍କ ସହ କରିବେ ଓ୍ବାନ ଟୁ ଓ୍ବାନ । ଦଳରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ଦାବି କରିବେ ନେତା ।

ପିସିସି ପଦ ପାଇଁ ବିଭିନ୍ନ ଗୋଷ୍ଠୀଙ୍କ ଲବି ଜୋରଦାର ହୋଇଛି । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି କରିବାକୁ ବିଧାୟକ ଗୋଷ୍ଠୀ ଦାବି କରିଛନ୍ତି । ଏହି ରେସରେ ଆଗରେ ଅଛନ୍ତି ମହମ୍ମଦ ମୋକିମ ଓ ତାରାପ୍ରସାଦ ବାହିନୀପତି । ସେହିପରି ଅନ୍ୟ ନେତାଙ୍କ ମଧ୍ୟରେ ଶରତ ପଟ୍ଟନାୟକ, ଭକ୍ତ ଦାସ ଓ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାଁ ଆଗରେ ଅଛି । ତେବେ ହାଇକମାଣ୍ଡ କାହାକୁ ପିସିସି ମଙ୍ଗ ଧରାଇବେ, ସେନେଇ ଦଳୀୟ ରାଜନୀତି ଉଷ୍ମ ରହିଛି ।