ପଶିଲା ଚେତା, ଏବେ ଭଙ୍ଗାଘର ସଜାଡ଼ିବ କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ଚେତା ପଶିଲା । ଏବେ ବାଦବିବାଦ ନୁହେଁ କି ଚୌକି ପାଇଁ ଲଢେଇ ନୁହେଁ, ଦଳକୁ ଶୃଙ୍ଖଳିତ ଓ ସଂଗଠିତ କରିବାକୁ ଏକଜୁଟ ହୋଇ ମାନସ ମନ୍ଥନ ଆରମ୍ଭ କରିଛନ୍ତି ନେତାଏ । ସ୍ୱତନ୍ତ୍ର କମିଟି ଗଠନ କରାଯାଇ ଦଳର ଗୋଷ୍ଠୀ ବିବାଦ ମୂଳପୋଛ କରାଯିବ ବୋଲି ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଦିଆଯାଇଛି ପ୍ରସ୍ତାବ । ହେଲେ, ପ୍ରସ୍ତାବକୁ ନେଇ ଆସିଛି ଦ୍ଵିମତ । ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକଯୁଦ୍ଧ । ଯାହାକୁ ନେଇ ହାତ ଶିବିର ସରଗରମ ।

ଏକା ଲଢିଲେ, ବାରମ୍ବାର ହାରିଲେ । ଏପରିକି ରାଜ୍ୟରେ ଦଳ ଦ୍ଵିତୀୟ ପୋଜିସନରୁ ତୃତୀୟକୁ ଚାଲିଆସିଲା । ସାଧାରଣ ନିର୍ବାଚନ ଓ ଉପନିର୍ବାଚନରେ ବି ବିଫଳତାର ସ୍ୱାଦ ଚାଖିଲା ଦଳ । ଏବେ ମନ ଘର ଧରିଛି । ଅସଜଡ଼ା ଘରକୁ ସଜାଡ଼ିବ କଂଗ୍ରେସ । ଗୋଷ୍ଠୀ ବିବାଦ ଦୂର କରିବାକୁ ଗଠନ ହେବ ସ୍ୱତନ୍ତ୍ର କମିଟି । ଦଳର ପରିବର୍ଦ୍ଧିତ କାଯ୍ୟକାରିଣୀ ବୈଠକରେ ବରିଷ୍ଠ ନେତା ଓ ବିଧାୟକମାନେ ଏହି ପ୍ରସ୍ତାବ ଦେଇଛନ୍ତି । କମିଟି ଗଠନ ପୂର୍ବରୁ ଦଳରେ ଥିବା ଗୋଷ୍ଠୀ କନ୍ଦଳ ଦୂର କରିବା ପାଇଁ ପ୍ରଥମେ ବରିଷ୍ଠ ନେତାଙ୍କ ସହ ପିସିସି ସଭାପତିଙ୍କ ସହ ୱାନ ଟୁ ୱାନ କରିବେ ବୋଲି ପ୍ରସ୍ତାବ ଦେଇଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଅନ୍ୟପଟେ ଦଳରେ ଯେଉଁମାନେ ବିଶୃଙ୍ଖଳା କରୁଛନ୍ତି ସେମାନଙ୍କୁ ତୁରନ୍ତ ବହିଷ୍କାର କରାଯିବା ଦରକାର ବୋଲି ତାରାଙ୍କୁ ସମଥର୍ନ କରି କହିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ।

କିନ୍ତୁ ତାରା ଓ ଦେବାଶିଷଙ୍କ ମନ୍ତବ୍ୟରେ ସହମତ ନୁହଁନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ । ସେ କହିଛନ୍ତି, ଦଳର ଶୃଙ୍ଖଳା ପ୍ରସ୍ତାବ ନେଇ ତାରା ଓ ଦେବାଶିଷଙ୍କ ମନ୍ତବ୍ୟକୁ ନେଇ ବର୍ଷିଛନ୍ତି ସୁରେଶ । ଦଳର ଶୃଙ୍ଖଳା କଥା କେବଳ ହାଇକମାଣ୍ଡ କହିବେ ଓ ସ୍ଥିର କରିବେ । ବିଧାୟକ ତାରା ବାହିନୀପତି ଓ ସପ୍ତଗିରି ଉଲାକା ମଧ୍ୟରେ ହୋଇଥିବା ବିବାଦରେ ଉଲାକାକୁ ସମର୍ଥନ କରି ଏହି  ନିଆଁରେ ଘିଅ ଢାଳିଛନ୍ତି ସୁର । ଏହାସହ କଂଗ୍ରେସର ଥିବା ଗୋଷ୍ଠୀ କନ୍ଦଳର ପ୍ୟାଚ୍‌ ପଡ଼ିଯାଇଥିବା ସେ କହିଛନ୍ତି ।

୨୧ ବର୍ଷ ଧରି କ୍ଷମତା ବାହାରେ ରହିବା ଓ ଗୋଷ୍ଠୀର ପୁରୁଣା ବିବାଦ ଯୋଗୁଁ ରାଜ୍ୟରେ କଂଗ୍ରେସର ଭୋଟହାର କମିବା ସହ ତୃଣମୂଳସ୍ତରରୁ ରାଜ୍ୟ ମଙ୍ଗୁଆଳ ସାଜିଥିବା ନେତାଏ ଦଳ ଛାଡ଼ୁଛନ୍ତି । ଯାହା ହାତ ଶିବିରକୁ ଚିନ୍ତାରେ ପକାଇଛି । ଏଥିରୁ ମୁକୁଳିବା ପାଇଁ ଦଳର ସ୍ୱତନ୍ତ୍ର କମିଟି କେତେ ସଫଳତା ହାସଲ କରୁଛି ତାହା ଉପରେ ରହିବ ସମସ୍ତଙ୍କ ନଜର ।

Leave a Reply