ରାଜ୍ୟ ମନ୍ତ୍ରିମଣ୍ଡଳରେ ହେବ କି ସମ୍ପ୍ରସାରଣ: ସଙ୍କେତ ଦେଲେଣି ଶାସକ ଦଳର ଏକାଧିକ ବିଧାୟକ
![](https://nandighoshatv.com/wp-content/uploads/2025/02/MINISTRY-EXPANSION-TALK_PKG_CHINU_070225_IN-up-1024x576.jpg)
ଭୁବନେଶ୍ବର: ରାଜ୍ୟ ମନ୍ତ୍ରିମଣ୍ଡଳର ହେବ କି ସଂପ୍ରସାରଣ ? ସଙ୍କେତ ଦେଲଣି ଶାସକ ବିଧାୟକ । କହିଲେ ମନ୍ତ୍ରୀଙ୍କୁ ଏକାଧିକ ବିଭାଗ ନେଇ ପଡୁଛି ଚାପ । କାହାକିଁ ହୋଇପାରୁନି ମନ୍ତ୍ରୀମଣ୍ଡଳ ପୂରଣ ବୋଲି ଉଠିଲାଣି ପ୍ରଶ୍ନ । ଧାନର କଟନି ଛଟନି, ଦରଦାମ ଓ ଆଳୁ ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ରଙ୍କ ବୟାନବାଜି ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇବା ସହ ବଦନାମ କରିଛି । ଧାନ ମଣ୍ଡି ନେଇ ଚାଷୀ ଅସନ୍ତୋଷ ଓ ଦରଦାମ ନେଇ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଯୋଗାଣମନ୍ତ୍ରୀଙ୍କ ବେଫିକର ବୟାନବାଜି ସରକାରଙ୍କୁ ଚିନ୍ତାରେ ପକାଇଛି । ଅନ୍ୟପଟେ ଧାନରେ କଟନି ଛଟନି ହେଉଥିବା କହି ବିଜେପି ସରକାରଙ୍କ ବିଫଳତାକୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ଯୋଗାଣ ମନ୍ତ୍ରୀ ପଦାକୁ ଆଣିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ଚାପ ବଡୁଥିବା ସୂଚନା ରହିଛି ।
ଏହାରି ଭିତରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ନେଇ ପାଓ୍ବାର କରିଡ଼ରେ ଆରମ୍ଭ ହୋଇଛି ଚର୍ଚ୍ଚା । ମୋହନଙ୍କ ଅଧାଗଢା ମନ୍ତ୍ରିମଣ୍ଡଳକୁ ନେଇ ମୁହଁ ଖୋଲିଲେଣି ଦଳୀୟ ବିଧାୟକ। ୬ମନ୍ତ୍ରୀ ପଦ ଖାଲିପଡ଼ିଥିବା ବେଳେ ବିଜେପି ବିଧାୟକ ଅଶ୍ବନୀ କୁମାର ଷଡ଼ଙ୍ଗୀ କହିଛନ୍ତି ଯେ ଓଡ଼ିଶାର ସ୍ବାର୍ଥକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଠିକ ସମୟରେ ଠିକ ନିଷ୍ପତି ନେବେ । ସେହିପରି ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି ଯେ ମନ୍ତ୍ରୀମାନେ କାର୍ଯ୍ୟବ୍ୟସ୍ଥତା ଯୋଗୁଁ ନିଜ ନିର୍ବାଚନୀ ମଣ୍ଡଳୀ ଯାଇପାରୁନାହାନ୍ତି ।
ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଚର୍ଚ୍ଚାକୁ ନେଇ ଶାସକ ଦଳରେ ଗୁଞ୍ଜରଣ ଆରମ୍ଭ ହେବା ପରେ ବହୁ ବରିଷ୍ଠ ଓ ଆଶାୟୀ ବିଧାୟକମାନେ ମୁହିଁ ଖୋଲିଛନ୍ତି । ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଯେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ କି ନାହିଁ ତାହା ମୁ୍ଖ୍ୟମନ୍ତ୍ରୀଙ୍କ ଇଚ୍ଛାଧିନ ବ୍ୟାପାର । ହେଲେ ବିଜେପିରେ କର୍ମବୀର ନେତା ଅଛନ୍ତି , ଯେଉଁ ଦାୟିତ୍ବ ଦିଆଯିବ ତାହା ସେମାନେ ତୁଲାଇବେ । ସେହିପରି ବିଧାୟକ ଫକୀର ମୋହନ ନାୟକ କହିଛନ୍ତି ଯେ ଦଳ ଯଦି ତାଙ୍କୁ ଦାୟିତ୍ବ ଦେବେ ତେବେ ସେ ପ୍ରସ୍ତୁତ ଅଛନ୍ତି ଦାୟିତ୍ବ ନେବାକୁ । ମନ୍ତ୍ରୀ ପଦ ଆଶାରେ ଥିବା ବିଧାୟକମାନେ ଜଣକ ପରେ ଜଣେ ଧୀରେଧୀରେ ମୁହଁ ଖୋଲିବା ପରେ ବିଜେପିର ଶୀର୍ଷ ନେତୃତ୍ବ ଚାପରେ ପଡିଛନ୍ତି । ସେପଟେ ସମୟ ଦେଖି ବିଜେପିକୁ କଟାକ୍ଷ କରିଛି ବିଜେଡ଼ି ।
ବ୍ୟବସ୍ଥା ଅନୁସାରେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଇ ୨୧ ଜଣ ମନ୍ତ୍ରୀ ରହିପାରିବେ । ମୋହନଙ୍କ ମନ୍ତ୍ରିମଣ୍ଡଳରେ ୧୫ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ଅଧାଗଢା ମନ୍ତ୍ରିମଣ୍ଡଳକୁ ନେଇ ବିଜେପି ସରକାର ଚାପରେ ଅଛି । ମନ୍ତ୍ରିମଣ୍ଡଳରେ ୧୭ଟି ଜିଲ୍ଲା ମନ୍ତ୍ରୀଶୂନ୍ୟ । ଏହାରି ଭିତରେ କିଛି ଦିନର ବ୍ୟବଧାନ ପରେ ବିଧାୟକମାନେ ମୁହଁ ଖୋଲିବା ଓ ମନ୍ତ୍ରିମଣ୍ଡଳ ଚର୍ଚ୍ଚା ଆରମ୍ଭ ହେବା ଶାସକ ଦଳର ରାଜନୀତିକୁ ଉଷ୍ମ କରିଛି ।