ଧାନ ସଂଗ୍ରହ ନୀତିକୁ କ୍ୟାବିନେଟ୍ ମଞ୍ଜୁରୀ: ଖରିଫ୍‌ରେ ୬୩ଲକ୍ଷ ଓ ରବି ଋତୁରେ ୧୪ଲକ୍ଷ ମେଟ୍ରିକ ଟନ୍ ସଂଗ୍ରହ ଲକ୍ଷ୍ୟ

1 min read

ଭୁବନେଶ୍ୱର: ୨୦୨୧-୨୨ ଧାନ ସଂଗ୍ରହ ନୀତିକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ୨୦୨୧-୨୨ ଖରିଫ ଋତୁରେ 6୩ ଲକ୍ଷ ମେଟ୍ରିକ ଟନ୍‌ ଧାନ ଓ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ଏହାଠାରୁ ଅଧିକ ଧାନ ଆସିଲେ ମଧ୍ୟ ପଞ୍ଜୀକୃତ ଚାଷୀଙ୍କଠାରୁ ରାଜ୍ୟ ସରକାର ଧାନ କିଣିବେ । ଏଥର ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପାଣି ପଞ୍ଚାୟତ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଧିକ ସଂଖ୍ୟାରେ ଧାନ ସଂଗ୍ରହରେ ନିୟୋଜିତ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଆବଶ୍ୟକ ହେଲେ ଯୋଗାଣ ବିଭାଗ ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି କରିପାରିବ ।

୨୦୨୧ ନଭେମ୍ବରରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ । ସେହିଭଳି ୨୦୨୨ ମେ’ରୁ ଜୁନ ମଧ୍ୟରେ ରବିଧାନ ସଂଗ୍ରହ କରାଯିବ । ଧାନ ବିକ୍ରି ପାଇଁ ଆଧାରକାର୍ଡ ଏକମାତ୍ର ପରିଚୟ ପତ୍ର ହେବ । ଧାନ ବିକ୍ରି ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦିଆଯିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଏମଏସପି ଦରରେ ଚାଷୀଙ୍କଠାରୁ ଧାନ କିଣାଯିବ । ସେହିଭଳି ବ୍ୟବସ୍ଥାରେ ସୁଧାର ଆଣିବାକୁ ସାଧାରଣ ବଣ୍ଟନ ନିୟନ୍ତ୍ରଣ ଆଦେଶରେ ସଂଶୋଧନ କରାଯାଇଛି । ଓଡ଼ିଶା ଅବକାରୀ ସେବା ସର୍ତ୍ତାବଳୀ ମଧ୍ୟ ସଂଶୋଧନ କରାଯାଇଛି । ଏଥିସହିତ ଜାତୀୟ ପେନସନ ସିଷ୍ଟମରେ ସାମିଲ ରାଜ୍ୟ କର୍ମଚାରୀଙ୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ମାସିକ ଅବଦାନକୁ ୧୦ ପ୍ରତିଶତରୁ ୧୪ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ୨ ଲକ୍ଷରୁ ଅଧିକ ରାଜ୍ୟ ସରକାରଙ୍କ କର୍ମଚାରୀ ଉପକୃତ ହେବେ ।

Leave a Reply