ଆଜି ରାଜ୍ୟ ବାର୍ କାଉନସିଲ ନିର୍ବାଚନ, ୨୫ଟି ସଦସ୍ୟ ପଦବୀ ପାଇଁ ୯୬ ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା

କଟକ: ଆଜି ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ । ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ବାର୍ କାଉନସିଲ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ପରିଷଦର ମୋଟ ୨୫ଟି ସଦସ୍ୟ ପଦବୀ ପାଇଁ ମତଦାନ ହେବ । ଏହି ନିର୍ବାଚନ ପ୍ରକ୍ରିୟାରେ ରାଜ୍ୟର ମୋଟ ୩୪ ହଜାର ୯୦୮ ଜଣ ଆଇନଜୀବୀ ଭୋଟ ଦେବେ । ପରିଷଦର ୨୫ଟି ସଦସ୍ୟ ପଦବୀ ପାଇଁ ବିଭିନ୍ନ ବାର୍ ଆସୋସିଏସନରୁ ୯୬ ଜଣ ଆଇନଜୀବୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି । ପରିଷଦ ସହ ଅନୁବନ୍ଧିତ ୧୮୨ଟି ବାର୍ ଆସୋସିଏସନ ଥିବା ବେଳେ, ଭୋଟ ଗ୍ରହଣ ପାଇଁ ସାରା ରାଜ୍ୟରେ ୧୬୭ଟି ବୁଥର ବ୍ୟବସ୍ଥା କରାଯାଇଛି । ଏହି ନିର୍ବାଚନରେ ପ୍ରିଫରେନସିଆଲ ଭୋଟ ବ୍ୟବସ୍ଥା ହୋଇଥିବାରୁ ପ୍ରତ୍ୟେକ ଆଇନଜୀବୀ ୨୫ଟି ଭୋଟ ଦେଇପାରିବେ । ତେବେ ଜଣେ ଭୋଟର ସର୍ବନିମ୍ନ ୫ଟି ଭୋଟ ନଦେଲେ ବାଲାଟ ନାକଚ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଷ୍ଟିସ ପ୍ରମଥ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ପ୍ରିଫରେନସିଆଲ ଭୋଟ ହୋଇଥିବାରୁ ବିଧାନସଭାର କର୍ମଚାରୀମାନେ ଭୋଟ ଗଣତି ପ୍ରକ୍ରିୟାରେ ସାମିଲ ହେବେ । ଆସନ୍ତା ୨୧ ତାରିଖରୁ ଭୋଟ ଗଣତି ଆରମ୍ଭ ହେବାକୁ ଥିବା ବେଳେ, ପ୍ରାୟ ୨ ମାସ ଧରି ଗଣତି ଜାରି ରହିବ । ୨୦୧୩ ମସିହା ପର ଠାରୁ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ହୋଇନଥିଲା । ପ୍ରାୟ ୯ ବର୍ଷ ବ୍ୟବଧାନ ପରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୋଟରମାନେ ନିଜର ପରିଚୟ ପତ୍ର ସାଙ୍ଗରେ ଆଣି ବୁଥ ଭିତରକୁ ପ୍ରବେଶ କରିପାରିବେ ।