ବିଜେଡି ସରକାର ସମୟରେ ମେଡିକାଲ କଲେଜର ଭିତ୍ତିଭୂମି ବିକାଶର ସୁଫଳ ମିଳୁଛି ଏବେ

ଭୁବନେଶ୍ବର: ବିଜେଡି ସରକାର ସମୟରେ ରାଜ୍ୟର ମେଡିକାଲ କଲେଜ ଗୁଡିକର ଭିତ୍ତିଭୂମିର ବଡ ଧରଣର ବିକାଶ ଘଟିଥିବାରୁ ଏବେ ଏହାର ସୁଫଳ ମିଳୁଛି । କଟକ ଏସସିବି ମେଡିକାଲ କଲେଜର ହେମାଟୋଲୋଜି ବିଭାଗକୁ ସେଣ୍ଟର ଫର ଏକ୍ସିଲେନ୍ସିର ମାନ୍ୟତା ଦିଆଯାଇ ପିଏଚଡି ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ସ୍ବାସ୍ଥ୍ୟ ସମନ୍ଧୀୟ ଏଭଳି ଗବେଷଣାମୂଳକ ପିଏଚଡି ପାଠ୍ୟକ୍ରମରେ ଏହା ଓଡିଶାର ପ୍ରଥମ ପିଏଚଡି କାର୍ଯ୍ୟକ୍ରମ । ଏଭଳି ମାନ୍ୟତା ମିଳିବା ପରେ ବିଭାଗର ବରିଷ୍ଠ ତଥା ଯୁବ ଡାକ୍ତରମାନେ କେକ୍ କାଟି ଖୁସି ମନେଇଛନ୍ତି ।

ନବୀନଙ୍କ ଦୂରଦୃଷ୍ଟିର ମିଳୁଛି ସୁଫଳ । ରାଜ୍ଯ ସ୍ବାସ୍ଥ୍ଯସେବାରେ ଆସିଛି ଉନ୍ନତି । ଏସସିବି ହେମାଟୋଲୋଜି ବିଭାଗକୁ ମିଳିଛି ସେଣ୍ଟର ଫର ଏକ୍ସିଲେନ୍ସି ମାନ୍ଯତା । ବିଜେଡି ସରକାର ଅମଳରେ ଗତ ଦଶନ୍ଧୀରେ ସାରା ରାଜ୍ଯରେ ସ୍ବାସ୍ଥ୍ୟସେବା ଓ ମେଡିକାଲ କଲେଜ ଗୁଡିକର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ଆଉ ଏବେ ଏହାର ସୁଫଳ ଏସସିବି ମେଡିକାଲ କଲେଜର ହେମାଟୋଲୋଜି ବିଭାଗକୁ ମିଳିଛି । ବିଭାଗକୁ ସେଣ୍ଟର ଫର ଏକ୍ସିଲେନ୍ସିର ମାନ୍ୟତା ପ୍ରଦାନ କରାଯାଇ ଏଠାରେ ତୁରନ୍ତ ଗବେଷଣାତ୍ମକ ପିଏଚଡି ପାଠ୍ୟକ୍ରମ ଆରମ୍ଭ କରିବାକୁ ଓଡିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ପୂର୍ବରୁ ଓଡିଶାରେ କୌଣସି ମେଡିକାଲ କଲେଜରେ କୌଣସି ବିଷୟରେ ପିଏଚଡିର ବ୍ୟବସ୍ଥା ନଥିଲା । ରାଜ୍ୟର ଡାକ୍ତର ଉଚ୍ଚତର ଗବେଷଣା ବା ପିଏଚଡି ପାଇଁ ବାହାରକୁ ଯାଉଥିଲେ ।

ଏସସିବି ହେମାଟୋଲୋଜି ବିଭାଗକୁ ଏହି ଗବେଷଣାତ୍ମକ ପିଏଚଡି ପାଠ୍ୟକ୍ରମର ଉତ୍କର୍ଷ କେନ୍ଦ୍ର ଭାବେ ବଛାଯିବା ପରେ ବିଭାଗରେ ବରିଷ୍ଠ ଓ ଯୁବ ଡାକ୍ତରମାନେ କେକ୍ କାଟି ଖୁସି ମନାଇଛନ୍ତି । ଏହାଦ୍ବାରା ନୂଆ ନୂଆ ଚିକିତ୍ସା ପଦ୍ଧତି ଓ ବୈଷୟିକ ଚିକିତ୍ସା କୌଶଳ ସଂପର୍କରେ ଡାକ୍ତର ଓ ରିସର୍ଚ୍ଚ କର୍ମଚାରୀ ଅବଗତ ହୋଇ ପାରିବେ । ଆଗକୁ ବାହାର ରାଜ୍ୟର ଡାକ୍ତରମାନେ ଏଠାକୁ ଗବେଷଣା ପାଇଁ ଆସିବାର ସୁଯୋଗ ସୃଷ୍ଟି ହେବ ।

ପୂର୍ବରୁ ରାଜ୍ୟର ମେଡିକାଲ କଲେଜଗୁଡିକ ସାଧାରଣ ଶିକ୍ଷାନୁଷ୍ଠାନ ଗୁଡିକୁ ପରିଚାଳନା କରୁଥିବା ବିଶ୍ବବିଦ୍ୟାଳୟ ଅଧୀନରେ ଥିଲା । ଦେଢବର୍ଷ ତଳେ ବିଜେଡି ସରକାର ଓଡିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ପରେ ମେଡିକାଲ କଲେଜର ଗୁଣାତ୍ମକ ବିକାଶ ପାଇଁ ପଥ ପରିଷ୍କାର ହୋଇଛି ।