ଷ୍ଟାର୍ଟଅପ୍ ରାଙ୍କିଙ୍ଗ୍‌ ରିପୋର୍ଟରେ ଉପରକୁ ଉଠିଲା ଓଡ଼ିଶା

ଭୁବନେଶ୍ୱର: ଦେଶର ଷ୍ଟାର୍ଟଅପ୍ ରାଙ୍କିଙ୍ଗ୍‌ ରିପୋର୍ଟରେ ଉପରକୁ ଉଠିଲା ଓଡ଼ିଶା । ୨୦୧୯ ଅକ୍ଟୋବରରୁ ୨୦୨୧ ଜୁଲାଇ ମଧ୍ୟରେ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ ଉଦ୍ୟୋଗକୁ ନେଇ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ପୂର୍ବଥର ଓଡ଼ିଶା ଲିଡର୍ସ ଗ୍ରୁପରେ ଥିବା ବେଳେ ଏଥର ଉପରକୁ ଉଠି ଟପ୍ ପରଫର୍ମର ରହିଛି । ଏହି ଗ୍ରୁପରେ କେରଳ, ମହାରାଷ୍ଟ୍ର ସହ ଓଡ଼ିଶା ଥିବାବେଳେ ଏହା ପଛକୁ ରହିଛି ତେଲଙ୍ଗାନା । ବେଷ୍ଟ ପରଫର୍ମର ଗ୍ରୁପରେ ଗୁଜରାଟ ଓ କର୍ଣ୍ଣାଟକ ଅଛନ୍ତି । ଜାତୀୟ ସ୍ତରରେ ଷ୍ଟାର୍ଟଅପ୍ କ୍ଷେତ୍ରରେ ରାଜ୍ୟମାନଙ୍କ ପ୍ରଦର୍ଶନକୁ ନେଇ ୫ଟି ଗ୍ରୁପରେ ରାଜ୍ୟମାନଙ୍କୁ ବିଭକ୍ତ କରାଯାଇଥାଏ ।

ମନ୍ତ୍ରାଳୟ ଦ୍ବାରା ସ୍ଥିରୀକୃତ ୨୬ଟି ଆକ୍ସନ ପଏଣ୍ଟରୁ ସବୁଥିରେ ଭାଗ ନେଇଥିଲା ଓଡ଼ିଶା । ୨୦୧୯ ଅକ୍ଟୋବରରୁ ୨୦୨୧ ଜୁଲାଇ ମଧ୍ୟରେ ଓଡ଼ିଶାରେ ୧୩ ଶହରୁ ଅଧିକ ନୂଆ ଷ୍ଟାର୍ଟଅପ୍ ଉଦ୍ୟୋଗ ପ୍ରତିଷ୍ଠା ହୋଇଥିବା ବେଳେ ୫ଲକ୍ଷ ବର୍ଗଫୁଟ ଅଞ୍ଚଳରେ ୨୪ରୁ ଅଧିକ ଇନକ୍ୟୁବେଟର କରାଯାଇଛି । ଏଥିରେ ୨୦୦କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ହୋଇଛି । ଏଥିରୁ ୫୦୦ରୁ ଅଧିକ ଉଦ୍ୟୋଗ ମହିଳାମାନେ ପ୍ରତିଷ୍ଠା କରିଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ନୂଆ ଷ୍ଟାର୍ଟଅପ୍ ନୀତି ଅନୁସାରେ ବିଶ୍ବସ୍ତରୀୟ ଷ୍ଟାର୍ଟଅପ୍ ହବ୍ କରାଯାଇଛି ।

ଏହା ସହ ନୂଆ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଆଇସିଟି ନୀତି ୨୦୧୪, ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର ନୀତି ୨୦୨୦, ପର୍ଯ୍ୟଟନ ନୀତି ୨୦୧୬ ଅନୁସାରେ କାମ ହେଉଛି । ଏହା ଓଡ଼ିଶା ଯୁବକମାନଙ୍କ ମଧ୍ୟରେ ନୂଆ ଆଇଡିଆ ପାଇଁ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ନୂଆ ଆଇଡିଆ ପାଇଁ ୫୦ହଜାର ଟଙ୍କା, ନୂଆ ପେଟେଣ୍ଟ ପାଇଁ ୧ଲକ୍ଷ ଟଙ୍କା ଏବଂ ନୂଆ ଉଦ୍ୟୋଗ ପାଇଁ ରାଜ୍ୟ ସରକାର ୩ଲକ୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଦେଉଛନ୍ତି । ଏସବୁ କାରଣରୁ ଓଡ଼ିଶା ଷ୍ଟାର୍ଟଅପ୍ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି ।