spot_img

Latest Posts

କରୋନା ଯୋଦ୍ଧା : ବଲିଉଡର ସତସତିକା ଡାକ୍ତରମାନେ କଣ କରୁଛନ୍ତି ଏବେ ?

ମୁମ୍ବାଇ: କରୋନାଭାଇରସ ମୁକାବିଲା ପାଇଁ ସେଲିବ୍ରିଟି ନିଜ ନିଜ ସ୍ତରରେ ସାହାଯ୍ୟ କରିବାକୁ ଚେଷ୍ଟା ଚଲାଇଛନ୍ତି । କିଛି ତାରକା ଆର୍ଥିକ ଭାବେ ସାହାଯ୍ୟ କରିଛନ୍ତି ତ କିଛି ଅନ୍ୟାନ୍ୟ ରୂପରେ ମଧ୍ୟ ସହଯୋଗ କରୁଛନ୍ତି। ନିକଟରେ ଖବର ଆସିଥିଲା ଯେ ଶାହାରୁଖ ଖାନଙ୍କ ସହ କାମ କରିସାରିଥିବା ଜଣେ ଅଭିନେତ୍ରୀ ନର୍ସ ଭାବେ କରୋନା ପୀଡିତମାନଙ୍କୁ ସାହାଯ୍ୟ କରୁଛନ୍ତି। ତେବେ ଏମିତି କିଛି ସେଲିବ୍ରିଟିଙ୍କ ବିଷୟରେ ଜାଣନ୍ତୁ, ଯେଉଁମାନଙ୍କ ପାଖରେ ଡାକ୍ତରୀ ଡିଗ୍ରୀ ଅଛି ।ଏବଂ ଏହି ଘଡିସନ୍ଧି ସମୟରେ ସେମାନେ କରୋନାଯୋଦ୍ଧା ପାଲଟିଛନ୍ତି ।

୧୯୭୬ ମସିହାରେ ଜନ୍ମ ହୋଇଥିବା ଅଦିତି ଗୋୱିତ୍ରିକର ଜଣେ ମଡେଲ୍ ତଥା ଅଭିନେତ୍ରୀ । ଏହା ସହ ଅଦିତି ଗୋୱିତ୍ରିକର ଜଣେ ଡାକ୍ତର ମଧ୍ୟ । ଅଦିତି ୧୯୯୭ ମସିହାରେ ମୁମ୍ବାଇର ଗ୍ରାଣ୍ଟ ମେଡିକାଲ କଲେଜରୁ ସ୍ନାତକ କରିଥିଲେ। MBBS କରିବା ପରେ, ସେ ଗାଇନକଲୋଜି ଏବଂ ପ୍ରସୂତି ବିଭାଗରେ ମାଷ୍ଟର ପାଇଁ ପଢିବା ଆରମ୍ଭ କରିଥିଲେ । କିନ୍ତୁ ମଡେଲିଂ ଅଫର ଯୋଗୁଁ, ତାଙ୍କ ମାଷ୍ଟର ପଢା ପୁରା ହୋଇନଥିଲା ।  ୨୦୦୯ ମସିହାରେ ଅଦିତି ବହୁ ପ୍ରତିକ୍ଷିତ ରିୟାଲିଟି ଶୋ’ ବିଗ୍ ବସ୍ ରେ ମଧ୍ୟ ନଜର ଆସିଥିଲେ । ଲକଡାଉନ୍ ସମୟରେ ଅଦିତି ଅଧିକାଂଶ ସମୟ ଇନଷ୍ଟାରେ ଲାଇଭ ଆସୁଛନ୍ତି । ଏଭଳି ପରିସ୍ଥିତିରେ କିଭଳି ସୁରକ୍ଷିତ ରହିବେ ଏନେଇ ସେ ସବୁବେଳେ ଆଲୋଚନା କରୁଛନ୍ତି । ଏଯାଏଁ ସେ ଇନଷ୍ଟା ଲାଇଭ୍ ରେ ମଲାଇକା ଅରୋଡା, ରିତେଶ ଦେଶମୁଖ, ରିଦ୍ଦିମା କପୁର ଭଳି ସେଲିବ୍ରିଟିଙ୍କ ସହ ନଜର ଆସିଛନ୍ତି ।

ଟିଭି ଶୋ ’ସତାରା ଏବଂ କୁମକୁମ୍ ଭାଗ୍ୟ ବ୍ୟତୀତ ଅକ୍ଷୟ କୁମାରଙ୍କ ଫିଲ୍ମ ଗବର୍ ଇଜ୍ ବ୍ୟାକ୍ ରେ କାମ କରିଥିବା ଆଶିଷ ଗୋଖଲେ ଏବେ କରୋନା ଯୁଦ୍ଧରେ ସାମିଲ ଅଛନ୍ତି। ଲକଡାଉନ୍ ଆରମ୍ଭରୁ ସେ ଏକ ଘରୋଇ ଡାକ୍ତରଖାନାରେ ୨୪ଘଣ୍ଟା ଡାକ୍ତର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅକ୍ଟିଭ ଅଛନ୍ତି। ଲକଡାଉନ୍ ପୂର୍ବରୁ ମଧ୍ୟ ସେ ଦିନରେ ସୁଟିଂ ପାଇଁ ଯାଇ ରାତିରେ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଯାଉଥିଲେ। ୨୦୧୫ ମସିହାରେ ଡେବ୍ୟୁ ପୂର୍ବରୁ ସେ ମହାରାଷ୍ଟ୍ରର କୋଙ୍କଣରେ ମେଡିକାଲ ପ୍ରଶିକ୍ଷଣ କରୁଥିଲେ।

ହଲିଉଡର ସୁପରହିଟ୍ ଚଳଚ୍ଚିତ୍ର ହ୍ୟାଙ୍ଗଓଭରରେ ଅଭିନୟ କରିଥିବା ଅଭିନେତା କେନ୍ ଜିଓଙ୍ଗ ୧୯୯୫ ମସିହାରେ ମେଡିକାଲ ଡିଗ୍ରୀ ହାସଲ କରିଥିଲେ। ସେ ଅଭିନେତା ଜିମ କୈରି ଏବଂ ବିଲ୍ କୋସବିଙ୍କ କମେଡିର ଜଣେ ବଡ଼ ପ୍ରଶଂସକ ଥିଲେ । ସେ ଜଣେ ଚିକିତ୍ସକ ଭାବରେ କାମ କରିବା ଆରମ୍ଭ କରିଥିଲେ । ତେବେ ଜଣେ ହାସ୍ୟ କଳାକାର ହେବା ତାଙ୍କ ପ୍ୟାସନ ଥିଲା । ତାଙ୍କର ଏହି ଆଗ୍ରହ ଯୋଗୁଁ ସେ ଆଗକୁ ବଢିଥିଲେ । ସେ ଚେଷ୍ଟା ଜାରି ରଖିଥିଲେ ଏବଂ ଏକ କମେଡି ପ୍ରତିଯୋଗିତାରେ ଜିତିବା ପରେ ତାଙ୍କର ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ ହୋଇଥିଲା । କେନ୍ ଏବେ ତାଙ୍କ ନେଟଫ୍ଲିକ୍ସ ଶୋ କମ୍ୟୁନିଟିକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ।

ଅଷ୍ଟ୍ରେଲିଆର ଫିଲ୍ମ ନିର୍ମାତା ଜର୍ଜ ମିଲର ମଧ୍ୟ ଜଣେ ଡାକ୍ତର ଭାବେ କାର୍ଯ୍ୟ କରିଛନ୍ତି। ସେ ମ୍ୟାଡ୍ ମ୍ୟାକ୍ସ ଫ୍ରାଞ୍ଚାଇଜ୍ ପାଇଁ ବେଶ ଜଣାଶୁଣା । ମ୍ୟାଡ୍ ମ୍ୟାକ୍ସ ୨ ଏବଂ ଫ୍ୟୁରି ରୋଡ୍ ଦୁନିଆର ସର୍ବୋତ୍ତମ ଆକ୍ସନ୍ ଫିଲ୍ମ ଭାବରେ ଚର୍ଚ୍ଚିତ । ସେ ନ୍ୟୁ ସାଉଥ ୱେଲ୍ସ ବିଶ୍ୱବିଦ୍ୟାଳୟରୁ ମେଡିସିନ୍ ପଢା ସାରିଥିଲେ। ଏବେ କରୋନା ଭୂତାଣୁ ଯୋଗୁଁ ସେ ନିଜ ଘରେ ସମୟ ବିତାଉଛନ୍ତି। ଏହା ସହ ଲୋକଙ୍କୁ ଅନଲାଇନ୍ ନିର୍ଦ୍ଦେଶ ଦେଉଛନ୍ତି ।

ସଞ୍ଜୟ ମିଶ୍ରଙ୍କ ସହ କାଞ୍ଚଲୀ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ଶିଖା ମଲହୋତ୍ରା ମୁମ୍ବାଇର ଏକ ହସ୍ପିଟାଲରେ ସ୍ବେଚ୍ଛାସେବୀ ଭାବେ କାମ କରୁଛନ୍ତି। ଶିଖା ୨୦୧୪ ମସିହାରେ ଦିଲ୍ଲୀର ବର୍ଦ୍ଧମାନ ମହାବୀର ମେଡିକାଲ କଲେଜ ଏବଂ ସଫଦରଜଙ୍ଗ ହସ୍ପିଟାଲରୁ ଏକ ନର୍ସିଂ କୋର୍ସ କରିଥିଲେ। ତେବେ ଅଭିନୟ ପ୍ରତି ତାଙ୍କର ଆଗ୍ରହ ଥିବାରୁ ସେ କେବେବି ନର୍ସ ଭାବେ କାମ କରିନଥିଲେ। ଶାହରୁଖ ଖାନଙ୍କ ସହ ଫ୍ୟାନ୍ ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି।

Latest Posts

Don't Miss