ଆକାଶରୁ ବର୍ଷିବ ଉଲକା ପିଣ୍ଡ: ପ୍ରତି ଘଣ୍ଟାକୁ ୧୫୦ ଧୂମକେତୁ କରିବେ ଆତସବାଜି

ନୂଆଦିଲ୍ଲୀ: ଆକାଶରେ ଧୂମକେତୁ ଯାଉଥିବା କେବେ ଦେଖିଛନ୍ତି କି ? ହଠାତ ଆପଣଙ୍କ ଆଗକୁ ଆସିଯିବ ଓ ଆଖି ପିଛୁଳାକେ ନୀଳ ଆକାଶରେ ଅଦୃଶ୍ୟ ହୋଇଯିବ । ଏକ ଲମ୍ବା ଲଞ୍ଜ ଥିବା ନିଆଁ ପିଣ୍ଡ ଆକାଶରେ ତାରାମାନଙ୍କ ମଧ୍ୟରେ ଚାଲିଯାଉଥିବ ଏ ଦୃଶ୍ୟ ଦେଖିବା ଅତ୍ୟନ୍ତ ମନୋରମ । ହେଲେ ଯଦି ଏମିତି ଶହ ଶହ ଉଲକା ପିଣ୍ଡ ଏକା ସାଙ୍ଗରେ ଆକାଶରେ ଯିବେ ତେବେ କେମିତି ଲାଗିବ । ନିଶ୍ଚିତ ଭାବେ ଆକାଶରେ ଆତସବାଜି ହେଲା ପରି ମନେ ହେବ । ଆଉ ଏ ଦୃଶ୍ୟ ସାରା ଜୀବନ କେବେ ବି ଭୁଲି ହେବନାହିଁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଆକାଶରେ ଏମିତି ଆତସବାଜି ହେବାକୁ ଯାଉଛି । ତାହା ପୁଣି ଏଇ ମାସ ୧୩ ଓ ୧୪ ତାରିଖ ମଧ୍ୟରେ । ଆକାଶରେ ପ୍ରତି ଘଣ୍ଟା ଏକା ସଙ୍ଗରେ ୧୦୦ରୁ ୧୫୦ ଧୂମକେତୁ ଆତସବାଜିର ଭ୍ରମ ସୃଷ୍ଟି କରି ଅତିକ୍ରମ କରିବେ ।

ଉତ୍ତରାଖଣ୍ଡ ନେନିତାଲ ସ୍ଥିତ ଆର୍ଯ୍ୟଭଟ୍ଟ ପର୍ଯ୍ୟବେକ୍ଷଣ ବିଜ୍ଞାନ ଅନୁସନ୍ଧାନ ପ୍ରତିଷ୍ଠାନର ବୈଜ୍ଞାନିକ ଡ. ବୀରେନ୍ଦ୍ର ଯାଦବ ଏମିତି ଦାବି କରିଛନ୍ତି । ତାଙ୍କ ଅନୁସାରେ ଏହି ଖଗୋଳିୟ ଘଟଣାର ନାଁ ‘ଜେମିନିଡ ଉଲ୍କାପାତ’ ରଖାଯାଇଛି । ସେ କହିଛନ୍ତି ଏହି ପ୍ରକ୍ରିୟା ନଭେମ୍ବର ମାସରୁ ଆରମ୍ଭ ହୋଇଛି, ଯାହା ଡିସେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ସୂଚନାଯୋଗ୍ୟ ଧୂମକେତୁର ଆବର୍ଜନା (ମଲବା) ପୃଥିବୀ ବାତାବରଣ ସଂସ୍ପର୍ଶରେ ଆସିଲେ ଜଳିବାକୁ ଲାଗିଥାଏ । ଏହା ଆକାଶରେ ଆତସବାଜିର ଭ୍ରମ ସୃଷ୍ଟି କରିଥାଏ । ପୃଥିବୀ ପୃଷ୍ଠରୁ ମାତ୍ର ୧୦୦ରୁ ୧୨୦ କିମି ଉପରେ ଏହି ଘଟଣା ଘଟିଥାଏ ।