ବିଜୟଙ୍କ ରାଲିରେ ଦଳାଚକଟା ଘଟଣା ; ଆଜି ଟିଭିକେ ଆବେଦନର ଶୁଣାଣି

ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁ କରୁରରେ ଅଭିନେତା ବିଜୟଙ୍କ ରାଲିରେ ଦଳାଚକଟା ଘଟଣା। ସୁପ୍ରିମକୋର୍ଟଙ୍କ ମନିଟରିଂରେ ତଦନ୍ତ କରିବା ଲାଗି ଟିଭିକେ କରିଥିବା ଆବେଦନର ଶୁଣାଣି ଆଜି କରିବେ ସର୍ବୋଚ୍ଚ ଅଦାଲତ। ଏସଆଇଟି ସମେତ ଅନ୍ୟାନ୍ୟ ତଦନ୍ତ ପ୍ରକ୍ରିୟାର ତଦାରଖ ଲାଗି ମଧ୍ୟ ହୋଇଥିବା ଆବେଦନର ଆଜି ଶୁଣାଣି ହେବ। ଏହି ଘଟଣାର ସିବିଆଇ ତଦନ୍ତ ସକାଶେ ନିର୍ଦ୍ଦେଶ ଦେବା ଲାଗି ହୋଇଥିବା ଆଉ ଏକ ପିଟିସନର ବି ଶୁଣାଣି କରିବେ କୋର୍ଟ। ଦଳାଚକଟା ଘଟଣାର ତଦନ୍ତ ଲାଗି ମାଡ୍ରାସ ହାଇକୋର୍ଟ ଏସଆଇଟି ଗଠନ ନିର୍ଦ୍ଦେଶ ଦେଇଥିଲେ।

ଦଳାଚକଟା ଘଟଣାରେ ଯାଇଥିଲା ୪୧ ଲୋକଙ୍କ ଜୀବନ । ସିଜେଆଇ ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ କେ. ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବେ । ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ ଟିଭିକେ ସମ୍ପାଦକ ଆଧବ ଅର୍ଜୁନ । ଦଳାଚକଟା ଘଟଣାର ତଦନ୍ତ ଲାଗି ଆଇଜିପିଙ୍କ ନେତୃତ୍ବରେ ଏସଆଇଟି ଗଠନ ଲାଗି ଗତ ୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ମାଡ୍ରାସ ହାଇକୋର୍ଟ । ଦଳାଚକଟା ଘଟଣା ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ରହିଥାଇପାରେ ବୋଲି କହିଛି ଦଳ ।