ବାଙ୍କୀ ସିଂହନାଥ ପୀଠ ନିକଟ ଟି-ବ୍ରିଜରେ ଦଳାଚକଟା, ୨୦ ଶ୍ରଦ୍ଧାଳୁ ଆହତ, ଜଣେ ମୃତ

1 min read

ବାଙ୍କୀ: ବାଙ୍କୀ ଟି-ସେତୁ ଉପରେ ଅଘଟଣ । ଅଣନିଶ୍ବାସୀ ହୋଇ ୯ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ଜଣଙ୍କୁ କଟକ ବଡ଼ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨ଜଣ ଆଠଗଡ଼ ହସପିଟାଲରେ ଓ ଜଣେ ବଡ଼ମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏସସିବିରେ ଭର୍ତ୍ତି ହୋଇଥିବା ଆହତଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବଡମ୍ବା ସିଂହନାଥ ପୀଠ ଓ ଟି-ସେତୁ ଅଞ୍ଚଳ ଏବଂ ଦୁର୍ଘଟଣାସ୍ଥଳୀ ପରିଦର୍ଶନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ୧୭ତାରିଖ ପର୍ଯ୍ୟନ୍ତ ମକର ଯାତ୍ରା ଥିବାରୁ ବାବାଙ୍କ ପୀଠରେ କଣ ହେବ ପରବର୍ତ୍ତୀ କାର୍ଯ୍ୟକ୍ରମ ସେ ସମ୍ପର୍କରେ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ସାମୟିକ ଭାବେ ପ୍ରଶାସନ ପକ୍ଷରୁ ୧୪୪ଧାରା ଲଗାଇବାକୁ ଚିନ୍ତା କରାଯାଉଥିବା ଆଇଜି କହିଛନ୍ତି । ମଧ୍ୟାହ୍ନରେ ମକର ସଂକ୍ରାନ୍ତି ଅବସରରେ ସିଂହନାଥ ପୀଠକୁ ଛୁଟିଆସିଥିଲେ ଲକ୍ଷଲକ୍ଷ ଲୋକ । ବ୍ରିଜ ଉପରେ ପ୍ରାୟ ଦେଢ ଲକ୍ଷ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା ।

ରେକର୍ଡ ଅନୁସାରେ ପ୍ରତିବର୍ଷ ମକର ସଂକ୍ରାନ୍ତିରେ ୩୦ରୁ ୪୦ ହଜାର ଭକ୍ତଙ୍କର ସମାଗମ ହୋଇଥାଏ । ଗତ ୨ ବର୍ଷ ଧରି ଯାତ୍ରା ବନ୍ଦ ଥିବାରୁ ଏଥର ଏ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ହୋଇପାରେ ବୋଲି ଅନୁମାନ ଲଗାଇଥିଲେ ମନ୍ଦିର ସେବାୟତ ଓ ସ୍ଥାନୀୟ ବାସିନ୍ଦା । କିନ୍ତୁ, ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରି ପାଖାପାଖି ଦେଢ଼ ଲକ୍ଷ ଲୋକଙ୍କର ସମାଗମ ହୋଇଥିଲା ଚଳିତ ଥର। କିଛିବ୍ୟକ୍ତି ଠେଲାପେଲା ହେବାରୁ ଅଣନିସ୍ବାସୀ ହୋଇଯାଇଥିଲେ । ଅଣନିଶ୍ବାସୀ କାରଣରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କଟକ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ କହିଛନ୍ତି ।