ଲିପୁଲେଖକୁ ନେଇ ଭାରତ-ନେପାଳ ମଧ୍ୟରେ କୂଟନୈତିକ ଯୁଦ୍ଧ,ପରେ ଆଲୋଚନା ପ୍ରସ୍ତାବକୁ ନେପାଳର ପ୍ରତ୍ୟାଖାନ

1 min read

କାଠମାଣ୍ଡୁ:  ଲିପୁଲେଖକୁ ନେଇ ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦ ତେଜିବାରେ ଲାଗିଛି । ସୋମବାର ଦିନ ସୀମା ବିବାଦକୁ ନେଇ କାଠମାଣ୍ଡୁ ସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନେପାଳ ଡକାଇ ତାଙ୍କୁ କୂଟନୈତିକ ସନ୍ଦେଶ ଦେଇଛି ।

ଭାରତ କୈଳାଶ ମାନସରୋବର ଯାତ୍ରା ପାଇଁ ଶୁକ୍ରବାର ଦିନ ଭାରତ ପିଥୌରଗ-ଧାରତୁଲାରୁ ଲିପୁଲେଖକୁ ଯୋଡୁଥିବା ସଡକର ଉଦଘାଟନ କରିଥିଲା ।  ଉତ୍ତରାଖଣ୍ଡସ୍ଥିତ ଲିପୁଲେଖ ଉପରେ ନେପାଳ ନିଜ ଦାବି ରଖି ଆସୁଛି । ଲିପୁଲେଖରେ ଭାରତର ସଡକ ନିର୍ମାଣକୁ ନେପାଳ ବିରୋଧ କରିଆସୁଥିଲା । ନେପାଳର ବିରୋଧ ଉପରେ ପ୍ରତିକ୍ରିୟା ରଖି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଥିଲା ଯେ, ସଡକ ନିର୍ମାଣ ସମ୍ପୂର୍ଣ୍ଣ ଭାବେ ଭାରତୀୟ କ୍ଷେତ୍ର ଭିତରେ ହେଉଛି । ତେବେ ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ ଭଲ ଥିବାରୁ ଏହି ପ୍ରସଙ୍ଗର କୂଟନୈତିକ ସମାଧାନ ଉପରେ ଭାରତ ଗୁରୁତ୍ୱ ଦେଇ ଆସୁଛି ।

ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗ୍ୟାଲି ସୋମବାର ଦିନ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇଥିଲେ  ଓ ଲିପୁଲେଖର ବିବାଦୀୟ ଜମି ଉପରେ ଭାରତ ଦ୍ୱାରା ରାସ୍ତା ନିର୍ମାଣକୁ ବିରୋଧ କରିଥିଲେ । ସୀମା ବିବାଦକୁ ନେଇ ନେପାଳ ସରକାରଙ୍କ ଆଭିମୁଖ୍ୟ ବାବଦରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସୂଚିତ କରିବା ସହ ତାଙ୍କୁ କୂଟନୈତିକ ସନ୍ଦେଶ ପ୍ରଦାନ କରିଥିଲେ ।

ଏହାପୂର୍ବରୁ ନେପାଳର ବୈଦେଶିକ ମନ୍ତ୍ରଣାଳୟ ଶନିବାର ଦିନ ବୟାନ ଜାରି କରି ଭାରତ ଦ୍ୱାରା ଲିପୁଲେଖରେ ରାସ୍ତା ନିର୍ମାଣକୁ ବିରୋଧ କରିଥିଲା । ବିବାବଦର ସମାଧାନ ପାଇଁ ଉଭୟ ଦେଶଙ୍କ ମଧ୍ୟରେ ସଚିବ ସ୍ତରୀୟ  ବାର୍ତ୍ତା ପାଇଁ ଖୁବଶୀଘ୍ର ତାରିଖ ନିର୍ଧାରିତ କରିବା ପାଇଁ ନେପାଳ ଭାରତକୁ କହିଥିଲା ।

Leave a Reply