ଗାଡ଼ି ହର୍ଣ୍ଣ ମରାକୁ କେନ୍ଦ୍ର କରି ଯୁବକଙ୍କ ସହ ପୋଲିସକୁ ଛୁରାମାଡ଼

ଭୁବନେଶ୍ବର: ଗାଡି ହର୍ଣ୍ଣ ମାରିବାକୁ ନେଇ ଯୁବକଙ୍କ ସହ ପୋଲିସ କର୍ମୀଙ୍କୁ ଛୁରାମାଡ଼ ।  ଭୁବନେଶ୍ଵର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ସ୍ଥିତ ଶ୍ରୀରାମନଗରରେ ଘଟିଛି ଘଟଣା । ଅଭିଯୁକ୍ତ ନା କେବଳ ଯୁବକଙ୍କୁ ଛୁରା ମାରିଥିଲା, ଏମିତିକି ପୋଲିସକୁ ମଧ୍ୟ ଛୁରା ମାରିଥିଲେ ।

ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଶ୍ରୀରାମନଗରରେ ୪ ଯୁବକ ବସିଥିବା ବେଳେ ହଠାତ ଏକ ବାଇକରେ ଆସି ଦୁଇ ଯୁବକ ହର୍ଣ୍ଣ ମାରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ପକ୍ଷ ଭିତରେ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ଯୁବକ ଜଣଙ୍କ ଛୁରାମାଡ଼ କରିଥିଲେ । ଏପରିକି ପୋଲିସ ଖବର ପାଇ ସେମାନଙ୍କୁ କାବୁ କରିବାକୁ ଉଦ୍ୟମ ବେଳେ ପୋଲିସ କନଷ୍ଟେବଳ ଛୁରା ମାଡ଼ରେ ଆହତ ହୋଇଛନ୍ତି ।

ସେପଟେ ଯୁବକ ଜଣଙ୍କ ପାରିବାରିକ କଳହକୁ ନେଇ ନିଶାଶକ୍ତ ଅବସ୍ଥାରେ ଏଭଳି କରିଥିବା କହିଛନ୍ତି ମଞ୍ଚେଶ୍ୱର ଥାନା ଅଧିକାରୀ । ଘଟଣାରେ ୩ ଜଣ ଯୁବକ ଓ ଜଣେ କନଷ୍ଟେବଳ ଆହତ ହୋଇଥିବା କହିଛନ୍ତି ଭୁବନେଶ୍ବର ଡିସିପି । ସମସ୍ତେ ବର୍ତ୍ତମାନ ସୁସ୍ଥ ଅଛନ୍ତି ।

ଅଭିଯୁକ୍ତ ଦୀପକ ନାୟକଙ୍କୁ କାବୁ କରାଯାଇଛି । ଅଧିକ ଖୋଲତାଡ଼ ଜାରି ରହିଛି । ପୋଲିସ ନିଜେ ଏହି ଘଟଣାରେ ଏତଲା କରିଛି । ସେପଟେ ଦଶହରା ବେଳେ କିଭଳି ସହର ଅପରାଧ ମୁକ୍ତ ରହିବ ସେ ନେଇ ଭୁବନେଶ୍ୱର ପୋଲିସ ତତ୍ପର ରହିଛି । ପେଶାଦାର ଅପରାଧୀଙ୍କୁ କାବୁ କରାଯାଇଛି । ଯିଏ ବି ଆଇନକୁ ହାତକୁ ନେବ ତାକୁ ପୋଲିସ ଜେଲ ପଠାଇବ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି ।