ସୁଶାନ୍ତଙ୍କର ହେବ ସାଇକୋଲୋଜିକାଲ ଅଟୋପ୍ସି, ସାମ୍ନାକୁ ଆସିପାରେ ମୃତ୍ୟୁ ରହସ୍ୟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚକୁ ସିବିଆଇ ଖୁବ ଗୁରୁତ୍ୱର ସହିତ ଆରମ୍ଭ କରିଛି । ଦିନକୁ ଦିନ ଆସୁଛି ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ । ସିବିଆଇ ପ୍ରତ୍ୟେକଟି ଦିଗରୁ ଏହି ମାମଲାକୁ ତଦନ୍ତ କରୁଛି । ବର୍ତ୍ତମାନ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏଭଳି ଏକ ଶବ୍ଦ ଯୋଡ଼ି ହୋଇ ଯାଇଛି ଯାହାକୁ ନେଇ ଅଧିକାଂଶ ଲୋକ ଦ୍ୱନ୍ଦରେ ପଡ଼ିଯିବେ । ସାମ୍ନାକୁ ଆସିଥିବା ଏହି ଶବ୍ଦଟି ହେଉଛି ‘ସାଇକୋଲୋଜିକାଲ ଅଟୋପ୍ସି’ । ଏଥିରେ ସୁଶାନ୍ତଙ୍କ ମସ୍ତିଷ୍କର ଅଧ୍ୟୟନ କରିବ ସିବିଆଇର ଫରେନସିକ ଟିମ୍ ।

ଦେଶରେ ତୃତୀୟ ଥର ପାଇଁ କୌଣସି ବହୁ ଚର୍ଚ୍ଚିତ ମାମଲାରେ ସାଇକୋଲୋଜିକାଲ ଅଟୋପ୍ସି କରାଯାଉଛି । ଏହା ପୂର୍ବରୁ ସୁନନ୍ଦା ପୁଷ୍କର ଓ ଦିଲ୍ଲୀ ବୁରାଡ଼ି ମାମଲାରେ ଏଭଳି ପରୀକ୍ଷା କରାଯାଇଥିଲା । ଏଥିସହ ସୁଶାନ୍ତ ଲେଖିଥିବା ନୋଟ୍ସ, ହ୍ୱାଟ୍ସାଆପ ମେସେଜ ଓ ସୋସିଆଲ ମି଼ଡିଆ ପୋଷ୍ଟ ନେଇ ମଧ୍ୟ ଅଧ୍ୟୟନ କରିବ ଫରେନସିକ ଟିମ୍ । ସୁଶାନ୍ତଙ୍କ ବନ୍ଧୁ ଓ ଷ୍ଟାଫଙ୍କଠାରୁ ତାଙ୍କ ମାନସିକ ସ୍ଥିତି ଓ ବ୍ୟବହାର ସଂପର୍କରେ ତଥ୍ୟ ହାସଲ କରାଯିବ । ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟର ସତ ଜାଣିବାରେ ଅଟୋପ୍ସି ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରାଯିବ । ଏଥିସହ ସୁଶାନ୍ତଙ୍କ ଭିସେରା ରିପୋର୍ଟରୁ ସୁରାକ ମିଳିପାରେ । ଏମ୍ସର ଡାକ୍ତରୀ ଟିମ୍ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟର ଯାଞ୍ଚ କରୁଛି । ସେପଟେ ଡିଆରଡିଓ ଗେଷ୍ଟ ହାଉସରେ ମୁମ୍ବାଇ ପୋଲିସ ଅଧିକାରୀ ପହଞ୍ଚିଛନ୍ତି । ସେମାନଙ୍କଠାରୁ ସିବିଆଇ ଟିମ ତଥ୍ୟ ସଂଗ୍ରହ କରୁଥିବା ଜଣାପଡିଛି । ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଖୁବ ଶୀଘ୍ର ଜେରା କରିପାରେ ସିବିଆଇ । କହିରଖୁଛୁ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରିୟା ଓ ତାଙ୍କ ପରିବାର ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସୁଶାନ୍ତଙ୍କ ବାପା ।

Leave a Reply