ବୃଦ୍ଧଙ୍କ ଜମାପୁଞ୍ଜି ଲୁଟି ନେଲେ ଦୁର୍ବୃତ୍ତ: ଲକ୍ଷେ ଟଙ୍କା ସହାୟତା ଦେଲେ ପୁଲିସ ଅଧିକାରୀ

ଶ୍ରୀନଗର: ଶ୍ରୀନଗର ଏସଏସପି ସନ୍ଦିପ ଚୌଧୁରୀଙ୍କୁ ନେଇ ଦେଶରେ ଜୋରଦାର ଚର୍ଚ୍ଚା । ସୋସିଆଲ ମିଡ଼ିଆ ୟୁଜର୍ସ ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି । ସନ୍ଦିପ ଏମିତି କାମ କରି ଦେଖାଇଛନ୍ତି, ଯାହା ପ୍ରମାଣିତ କରୁଛି, ଆଜି ବି ମାନବିକତା ବଞ୍ଚିଛି । ସନ୍ଦିପଙ୍କ ଭଳି ବ୍ୟକ୍ତିତ୍ବ ଆମକୁ ଏହା ମନେ ପକାଇବାକୁ ବାଧ୍ୟ କରୁଛନ୍ତି ଏବେ ବି ମଣିଷପଣିଆ ମରିନି ।

ଘଟଣାଟି ଏମିତି । ଶ୍ରୀନଗରର ରାସ୍ତା କଡ଼ରେ ଚଣା ବିକ୍ରି କରନ୍ତି ୯୦ ବର୍ଷିୟ ବୃଦ୍ଧ ଅବଦୁଲ ରହମାନ । ନିଜର ସ୍ବଳ୍ପ ପୁଞ୍ଜିରୁ କିଛି କିଛି କରି ୧ ଲକ୍ଷ ଟଙ୍କା ଜମା କରିଥିଲେ ଅବଦୁଲ ଚାଚା । ମୃତ୍ୟୁ ପରେ ନିଜ ଅନ୍ତିମ ସତ୍କାରରେ ଏହି ଟଙ୍କା ଖର୍ଚ୍ଚ କରାଯିବା ଉଦ୍ଦେଶ୍ୟରେ ଚାଚା ଦିନରାତି ଏକ କରି ସଞ୍ଚୟ କରୁଥିଲେ । ହେଲେ ଗତ ଶନିବାର କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିବା ସହ ମାରପିଟ କରି ସବୁ ଟଙ୍କା ଲୁଟି ନେଇଥିଲେ । ଏନେଇ ଅବଦୁଲ ଚାଚା ଥାନାରେ ଅଭିଯୋଗ କରିବା ପରେ ଏସଏସପି ସନ୍ଦିପ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓ ନିଜେ ଏହାର ତଦାରଖ କରୁଛନ୍ତି ।

ସେତିକିରେ ଅଟକି ନାହାନ୍ତି ସନ୍ଦିପ । ନିଜ ସଞ୍ଚୟରୁ ଅବଦୁଲ ଚାଚାଙ୍କୁ ୧ ଲକ୍ଷ ଟଙ୍କା ସହାୟତା କରିଛନ୍ତି । ଏ ସମ୍ପର୍କରେ ପଚରା ଯିବାରେ ସନ୍ଦିପ କହିଥିଲେ ‘ମାନବିକତା ଅନ୍ୟ ସବୁ ପଦାର୍ଥଠାରୁ ବଡ଼ ।’

ଯାହାକୁ ନେଇ ଚାରିଆଡୁ ତାଙ୍କୁ ପ୍ରଶଂସା କରାଯାଉଛି । ସନ୍ଦିପଙ୍କ ଏପରି ମହତ କାମର ଏହା ପ୍ରଥମ ଘଟଣା ନୁହେଁ । ବିଭିନ୍ନ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଥାନ୍ତି ସନ୍ଦିପ । କିଛିବର୍ଷ ପୂର୍ବେ ପୋଲିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା କିଛି ଅଭାବି ଛାତ୍ରଙ୍କୁ ସହାଯ୍ୟ କରିଥିଲେ ସନ୍ଦିପ । ତାଙ୍କ ପ୍ରୟାସରେ ୩୮ ଆଶାୟୀ ରାଜ୍ୟ ପୋଲିସର ବିଭିନ୍ନ ବର୍ଗରେ ସବ ଇନ୍ସପେକ୍ଟର ଭାବେ ମନୋନୀତ ହୋଇ କାର୍ଯ୍ୟ କରୁଛନ୍ତି ।

Leave a Reply