ଦେଓମାଳି ପର୍ବତ ଅବସ୍ଥା ଦେଖି ଫିଲ୍ମ ନିର୍ମାତା ଏସଏସ ରାଜାମୌଲି ବିଚଳିତ
1 min read
କୋରାପୁଟ: ଏସଏସଏମବି ୨୯ର ଫଇଲ୍ମ ସୁଟିଂ ସାରି କୋରାପୁଟରୁ ଫେରିବା ପରେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଏସ.ଏସ. ରାଜାମୌଲି ସୋସିଆଲ ମିଡିଆରେ ଦେଓମାଳି ପର୍ବତର ଅବସ୍ଥା ଦେଖି ବିଚଳିତ ଥିବା ପୋଷ୍ଟ କରିଛନ୍ତି । ଦେଓମାଳି ପର୍ବତ ଉପରେ ଚଢି ଏହାର ସୌନ୍ଦର୍ଯ୍ୟ ଅବଲୋକନ କରିଛନ୍ତି । ହେଲେ ପର୍ବତ ଶିଖରର ଅବସ୍ଥା ଦେଖି ଚିନ୍ତାପ୍ରକଟ କରିଛନ୍ତି । ପ୍ରକୃତିର ଏହି ଅପରୂପ ଗନ୍ତାଘରର ସୁରକ୍ଷାରେ ନିଜକୁ ନିୟୋଜିତ କରିବା ଲାଗି ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି ।
ନିଜର ସୋସିଆଲ ମିଡିଆ ପେଜରେ ଦେଓମାଳିର ଏକ ଭିଡିଓ ପୋଷ୍ଟ କରି ସେ କହିଛନ୍ତି, ଓଡ଼ିଶାର ସର୍ବୋଚ୍ଚ ପର୍ବତ ଦେଓମାଳି ଉପରକୁ ସେ ଯାଇ ଏହାର ଦୃଶ୍ୟ ଅବଲୋକନ କରିଛନ୍ତି । ଏହା ଉପରୁ ସେ ପ୍ରକୃତିର ନୈସର୍ଗିକ ଦୃଶ୍ୟ ଦେଖି ବିଭୋର ହୋଇଛନ୍ତି । ମାତ୍ର ଏହି ପାହାଡର ଅବସ୍ଥା ପରିତ୍ୟକ୍ତ ହୋଇ ରହିଛି । ଏଥିପ୍ରତି ଲୋକେ ସଚେତନ ହେଲେ ପାହାଡର ଅବସ୍ଥା ବଦଳିଯିବ । ଏହି ପର୍ବତର ସୁରକ୍ଷା ଲାଗି ପର୍ଯ୍ୟଟକମାନେ ସେମାନଙ୍କ ବର୍ଜ୍ୟ ପଦାର୍ଥ ନେଇ ଯାଇ ଅନ୍ୟତ୍ର ଫୋପାଡିବା ଲାଗି ସେ ପରାମର୍ଶ ଦେଇଛନ୍ତି ।
ଦେଓମାଳି ପର୍ବତ ଶିଖରରେ ପ୍ଲାଷ୍ଟିକ ସାମଗ୍ରୀ ଏଣେତେଣେ ପଡିବା ଯୋଗୁଁ ପ୍ରାକୃତିକ ପରିବେଶର ଅବକ୍ଷୟ ଘଟୁଛି ବୋଲି କହିଛନ୍ତି RRR ନିର୍ଦ୍ଦେଶକ ରାଜାମୌଲି । ଆଗାମୀ ଫିଲ୍ମ ଏସଏସଏମବି 29 ର କିଛି ସିନର ସୁଟିଂ ଲାଗି ନିଜର ବୃହତ ଟିମ୍ ସହ କୋରାପୁଟ ଆସିଥିଲେ ରାଜାମୌଲି । ଏହି ଫିଲ୍ମରେ ଅଭିନୟ କରୁଛନ୍ତି ମହେଶ ବାବୁ, ପ୍ରିୟଙ୍କା ଚୋପ୍ରା ଏବଂ ପୃଥ୍ବୀରାଜ ସୁକୁମାରନ ।