ଆଜି ପବିତ୍ର ଶ୍ରୀରାମ ନବମୀ, ସାରା ଦେଶରେ ଧୁମଧାମରେ ପାଳନ ହେଉଛି ପର୍ବ

1 min read

ଭୁବନେଶ୍ୱର: ଆଜି ପବିତ୍ର ଶ୍ରୀରାମ ନବମୀ । ସଜେଇ ହୋଇଛି ରାମମନ୍ଦିର । କରୋନା ମହମାରି ୨ବର୍ଷ ପରେ ଶ୍ରୀରାମ ନବମୀରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଏଥିପାଇଁ ରାଜଧାନୀର ସମସ୍ତ ମଠ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାମଚନ୍ଦ୍ରଙ୍କ ଦର୍ଶନ ନିମନ୍ତେ ରାମ ମନ୍ଦିର, ବିଷ୍ଣୁ ମନ୍ଦିରରେ ଜମିଛି ଭିଡ଼ । ୟୁନିଟ-୩ ସ୍ଥିତ ରାମ ମନ୍ଦିରରେ ସ୍ଵତନ୍ତ୍ର ବିଧି ବ୍ୟବସ୍ଥା କରାଯାଇଛି । ରାମ ମନ୍ଦିରରେ ଠାକୁରଙ୍କ ରୀତିନୀତି ଅନୁଯାୟୀ ନୀତିକାନ୍ତି କରାଯିବା ନେଇ ନୀତି ନିର୍ଘଣ୍ଟ ହୋଇଛି । ଫୁଲ ଏବଂ ଫଳ ଓ ଆଲୋକମାଳାରେ ମନ୍ଦିରକୁ ସଜାଇ ମହାସମାରୋହରେ ଶ୍ରୀରାମ ନବମୀ ଅନୁଷ୍ଠିତ ହେଉଛି ।

ଆଜି ସକାଳ ସାଢ଼େ ୫ଟାରେ ଶ୍ରୀରାମଙ୍କର ମଙ୍ଗଳ ଆଳତି କରାଯିବାପରେ ୭ଟାରୁ ଶୃଙ୍ଗାର ଆଳତି କରାଯାଇଛି । ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଅବକାଶ ନୀତି, ମହାସ୍ନାନ, ସକାଳ ଧୂପ ଓ ବେଶ ହୋଇଛି । ଶ୍ରୀରାମ ଚରିତ ମାନସ ନବାଙ୍ଗ ପାରାୟଣରେ ପୂର୍ଣ୍ଣାହୁତି ହେବା ସହ ପୂର୍ବାହ୍ଣ ୧୦ଟାରୁ ହୋମ ଯଜ୍ଞ କରାଯିବ ।  ମଧ୍ୟାହ୍ନ ୧୨ଟା ପରେ ଶ୍ରୀରାମଙ୍କ ଜୟନ୍ତୀ ଆଳତି ହେବ । ପରେ ସନ୍ଧ୍ୟା ଆଳତି କରାଯାଇ ରାତି ୧୦ଟାରେ ଭୋଗ ଆରତୀ ଅନୁଷ୍ଠିତ ହେବ । ଏହି ଅବସରରେ ଠାକୁରଙ୍କ ପାଖରେ ପାଞ୍ଚ ମେଳା ଓ ଫଳ ଲାଗି ହେବ । ଚଳିତବର୍ଷ ସର୍ବସାଧାରଣଙ୍କ ପାଇଁ ଦର୍ଶନ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ ବ୍ୟବସ୍ଥା କରାଯିବା ସହ ପୋଲିସ୍ ନିୟୋଜିତ ହୋଇଛନ୍ତି ।