ବାହୁଡାରେ ସୁଭଦ୍ରାଙ୍କ ରଥରେ ଅଣସେବାୟତ ଚଢିବା ଘଟଣା: ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଗ୍ରହଣ

ପୁରୀ : ଗତ ବାହୁଡାଯାତ୍ରା ସମୟରେ ସୁଭଦ୍ରାଙ୍କ ଦେବଦଳନ ରଥରେ ଚଢିଥିବା ଅଣସେବାୟତଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି । ଜଣେ ଦଇତାପତି ସେବକକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବାବେଳେ ୭ ଦିନ ଭିତରେ ଉତ୍ତର ରଖିବାକୁ ସମୟ ଦିଆଯାଇଛି  । ତେବେ ଘଟଣାକୁ ନେଇ ଦଇତାପତି ନିଯୋଗ ପକ୍ଷରୁ ପତିକ୍ରିୟା ପ୍ରକାଶ ପାଇଥିବାବେଳେ ଶ୍ରୀମନ୍ଦିର ପ୍ରଶାସନକୁ ନୋଟିସ ପ୍ରତ୍ୟାହାର ପାଇଁ କୁହାଯାଇଛି । ରଥ ଉପରେ ଅନଧିକୃତ ସେବାୟତ ନୁହେଁ ବରଂ ସେବାୟତଙ୍କ ସହାୟକ ଚଢିଥିବା ନିଯୋଗ ପକ୍ଷରୁ କୁହାଯାଇଥିବାବେଳେ ତାଙ୍କୁ ଯେଉଁ ଭଳି ଭାବରେ ରଥରୁ ଓହ୍ଲାଇ ଦିଆଗଲା ତାହା ଦୁଃଖଦାୟକ ବୋଲି ମତ ପ୍ରକାଶ ପାଇଛି  ।

ଚଳିତ ବର୍ଷ ଶୃଙ୍ଖଳିତ ଭାବେ ଦଇତାପତିମାନଙ୍କ ସହଯୋଗରେ ରଥଯାତ୍ରା ସମ୍ପାଦନ ହୋଇଥିବାବେଳେ ରଥଯାତ୍ରା ପରେ ଏଭଳି ଘଟଣାକୁ ଦଇତାପତିମାନେ ଠିକ ନୁହେଁ ବୋଲି କହିଛନ୍ତି  । ଅନ୍ୟପକ୍ଷରେ ବାରମ୍ବାର ରଥ ଉପରେ ଅଣସେବାୟତ ଚଢିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରି କହିଛନ୍ତି  । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଓ ରାଜ୍ୟ ସରକାରଙ୍କ ଆଇନକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ରଥ ଉପରେ ବହୁ ନାମୀଦାମୀ ଲୋକ ସେବାୟତ ବେଶରେ ଚଢିଥିବା ବିଗତ ବର୍ଷ ମାନଙ୍କରେ ଦେଖାଯାଇଛି  । ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ବା ଥାନାରେ ମାମଲା ରୁଜୁ ହେଉଥିବାବେଳେ ନିୟମ ଭାଙ୍ଗୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ସେଭଳି କୌଣସି କଡା କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ  । ତେଣୁ ଏପରି ଘଟଣାମାନ ଦେଖିବାକୁ ମିଳୁଛି । ଏଥିଲାଗି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିହାତି ଜରୁରୀ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି ।