ଗୋବର୍ଦ୍ଧନ ପୀଠରେ ପରିଚାଳନା କମିଟି, ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଗଜପତି

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ଗୋବର୍ଦ୍ଧନ ପୀଠରେ ପହଁଚି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିଛନ୍ତି  । ପୁରୀ ଗୋବର୍ଦ୍ଧନ ପୀଠରେ ଶ୍ରୀମନ୍ଦିର ପରିଚାଳନା କମିଟି ପହଁଚି ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛି । ଗଜପତିଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଓ କମିଟିର ସେବାୟତ ପ୍ରତିନିଧି ଉପସ୍ଥିତ ଅଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପର୍କରେ କମିଟି ପକ୍ଷରୁ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଇବା ସହ ପରାମର୍ଶ ଗ୍ରହଣ କରାଯାଉଛି ।

ସେପଟେ ପରିକ୍ରମା ପ୍ରକଳ୍ପ  ଶୀଘ୍ର ଶେଷ କରିବାକୁ ଶ୍ରୀମନ୍ଦିର ସେବାୟତ ହାଇକୋର୍ଟ ଯାଇଛନ୍ତି । ଏନେଇ ରାଜ୍ୟ ସରକାର ଓ ଏଏସଆଇଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଏର କରିଛନ୍ତି ଶ୍ରୀମନ୍ଦିର ସେବାୟତ । ଯଥାଶୀଘ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମସ୍ତ ସୁବିଧା ଓ ଉପଯୋଗୀ କାର୍ଯ୍ୟ ସାରିବାକୁ ସେବାୟତ ଆବେଦନ କରିଛନ୍ତି । ବିଶେଷ କରି ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ବିକାଶମୂଳକ କାମ ଶୀଘ୍ର ସାରିବାକୁ ଦାବି କରିଛନ୍ତି । କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନୈତିକ ଦଳ ଏହି ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ସେମାନେ କହିଛନ୍ତି ।  ତେଣୁ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେବାୟତ ନିବେଦନ କରିଛନ୍ତି।