ଭକ୍ତଙ୍କୁ ମିଳିବ ଜଗା ଦର୍ଶନ: ଫେବ୍ରୁଆରୀ ପହିଲାରୁ ଖୋଲିବ ଶ୍ରୀମନ୍ଦିର

ପୁରୀ: ଜଗନ୍ନାଥ ଭକ୍ତଙ୍କ ଲାଗି ଖୁସି ଖବର । ଫେବ୍ରୁଆରୀ ପହିଲାରୁ ଖୋଲିବ ଶ୍ରୀମନ୍ଦିର ।  କୋଭିଡ ପ୍ରଟୋକଲ ମାନି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ ।  ଛତିଶା ନିଯୋଗ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଛି । ଏ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ୨୦୦ରୁ ୩୦୦ ସେବାୟତ ନେଇସାରିଛନ୍ତି ବୁଷ୍ଟର ଡୋଜ୍ । ସବୁ ସେବାୟତଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ଉଦ୍ୟମ ଜାରି ରହିବ । ତେବେ ପୂର୍ବ ଭଳି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର । ପୁରୀବାସୀ ପଶ୍ଚିମ ଦ୍ୱାର ଦେଇ ମନ୍ଦିରକୁ ଦର୍ଶନ ନେଇ ପ୍ରବେଶ କରିବେ । ଅନ୍ୟ ଭକ୍ତମାନେ ପୂର୍ବଦ୍ୱାର ଦେଇ ପ୍ରବେଶ କରିବେ । କରୋନା କଟକଣା ମାନି ଭକ୍ତ ଜଗନ୍ନାଥ ଦର୍ଶନ କରିବେ ।

ସୂଚନା ଯୋଗ୍ୟ ଯେ, ଜାନୁଆରୀ ୧୦ ତାରିଖ ଠାରୁ ଶ୍ରୀମନ୍ଦିରରେ ବନ୍ଦ ରହିଛି ସାଧାରଣ ଦର୍ଶନ ।  ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା । ଛତିଶାନିଯୋଗ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଥିବା ବେଳେ ଆସନ୍ତା ସୋମବାରକୁ ନିର୍ଦ୍ଧାରିତ ସମୟ ସରିବାର ଥିଲା । ଏଣୁ ଆଜି ପୁଣି ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ରାଜ୍ୟର କରୋନା ସ୍ଥିତି ଏବଂ ସେବାୟତଙ୍କୁ ବୁଷ୍ଟର ଡୋଜ୍ ଟିକାକରଣକୁ ଅନୁଧ୍ୟାନ କରାଯାଇ ଶ୍ରୀମନ୍ଦିର ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି ।

ଏଥିସହିତ ପଢ଼ନ୍ତୁ: ସ୍ୱର୍ଗଦ୍ୱାରରେ ଅନ୍ୟ ଜିଲ୍ଲାର ଶବଦାହକୁ ଅନୁମତି

Leave a Reply