ଶ୍ରୀମନ୍ଦିର ୮ ଦ୍ଵାର ରୁପା ଛାଉଣି ନେଇ ବୈଠକ ଶେଷ, ବର୍ମା ଟିକରେ ସ୍ଥାପନ ହେବ ରୁପା ଚାଦର

ପୁରୀ: ଶ୍ରୀମନ୍ଦିର ମଧ୍ୟରେ ଥିବା ବିଭିନ୍ନ ଦ୍ୱାର ଦିନକୁ ଦିନ ଖରାପ ହେବାରେ ଲାଗିଲାଣି । ଯେଉଁଥିପାଇଁ ସେହି ଦ୍ୱାର ଗୁଡ଼ିକୁ ବାହାର କରାଯାଇ ନୂଆ ଦ୍ୱାର ନିର୍ମାଣ କରାଯିବ । ପୁରୀ ଶ୍ରୀମନ୍ଦିରରେ ଏଏସଆଇର ୪ଜଣିଆ ଟିମ ଅନୁଧ୍ୟାନ କରିଛି । ବାଇଶି ପାହାଚ ମାପଚୁପ କରିବା ସହ ମହାଲଷ୍ମୀଙ୍କ ମନ୍ଦିର ଓ ବିମଳାଙ୍କ ମନ୍ଦିର ମଧ୍ୟ ଅନୁଧ୍ୟାନ କରିଛି ଟିମ୍ । ଯେଉଁ ସ୍ଥାନରେ ଦୁର୍ବଳ ପଥର ରହିଥିବ ସେଠାରେ ପଥର ବଦଳା ଯିବ ।

ଅନୁଧ୍ୟାନ ଓ ମାପଚୁପ ପରେ ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ । କଳାହାଟ, ବେହେରଣ, ଜୟବିଜୟ, ସାତପାହାଚ, ପଶ୍ଚିମଭୋଗ ପଣ୍ଡପ, ନୃସିଂହ ମନ୍ଦିର, ବିମଳା ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିରର ଗର୍ଭଦ୍ୱାରକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରୁପା ଛାଉଣୀ କରିବା ନେଇ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏଥିରେ ଲାଗିବା ରୂପା କିଛି ବଦାନ୍ୟ ବ୍ୟକ୍ତି ଦେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପ୍ରତିଶୃତି ଦେଇଛନ୍ତି । ଏହି ନିର୍ମାଣ କାର୍ଯ୍ୟ ନେଇ ସମସ୍ତ ପ୍ରକାରର ଆଲୋଚନା ଆଜିର ବୈଠକରେ ଆଲୋଚନା କରାଯାଇଛି ।

ଆଜିର ବୈଠକରେ ଇଞ୍ଜିନିୟର, ଏଏସଆଇ ଅଧିକାରୀ, ଛତିଶାନିଯୋଗ ଓ ପ୍ରତିହାରୀ ନିଯୋଗ ସାମିଲ ହୋଇଥିଲେ । ତେବେ ପ୍ରତ୍ୟେକ ଦ୍ୱାର ଏକ ଶକ୍ତ କାଠରେ ନିର୍ମାଣ କରାଯିବ । ବର୍ମା ଟିକରେ ନିର୍ମାଣ ହେବ ପ୍ରତ୍ୟେକ ଦ୍ୱାର । ଏହି କାଠ ଉପରେ ରୁପା ଛାଉଣି କରାଯିବ ବୋଲି ନିଷ୍ପତ୍ତି କରାଯାଇଛି । ପ୍ରତ୍ୟକ କାଠ ୪ ଇଞ୍ଚ ମୋଟା ରହିବ । ତେବେ କାଠରେ ଗୋଟିଏ ଦ୍ୱାର ନିର୍ମାଣ ହେବା ପାଇଁ ୧୦ରୁ ୧୨ ଦିନ ସମୟ ଲାଗିବ । ସେଥିପାଇଁ ଏବେ ସମସ୍ତ ଦ୍ୱାର ନିର୍ମାଣ ହେବା ଅସମ୍ଭବ ।

କାରଣ ଶ୍ରୀମନ୍ଦିର ମଧ୍ୟରେ ପୂଜା ଏବଂ ନୀତିକାନ୍ତିରେ ଅସୁବିଧା ହୋଇପାରେ । ଯେଉଁଥିପାଇଁ ପ୍ରଥମେ ସାତପାହାଚ ଦ୍ୱାର ନିର୍ମାଣ କରାଯିବ । ସେଥିରେ କଣ ତୃଟି ରହୁଛି ପରିଲକ୍ଷିତ କରାଯାଇ ଅନ୍ୟ ସବୁ ଦ୍ୱାର ନିର୍ମାଣ କରାଯିବ । ଏବେ କଳାହାଟ ଦ୍ୱାର, ବେହରଣ ଦ୍ୱାର, ଜୟବିଜୟ ଦ୍ୱାର କାର୍ଯ୍ୟ ଆରମ୍ଭ ହେବନାହିଁ । ରଥଯାତ୍ରା ସମୟରେ ଏହି ସବୁ ଦ୍ୱାର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Leave a Reply