ଶ୍ରୀମନ୍ଦିରକୁ ନାହିଁ ବିପଦ: ଉନ୍ନତିମୂଳକ କାର୍ଯ୍ୟକୁ ସେବାୟତମାନଙ୍କ ସ୍ୱାଗତ

1 min read

ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କଲେ ପୁରୀ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ । କାର୍ଯ୍ୟର ଅଗ୍ରଗତି ନେଇ ଅନୁଧ୍ୟାନ କରିବା ସହ ଆଲୋଚନା କରିଛନ୍ତି । ନିର୍ମାଣ କାର୍ଯ୍ୟ ଦ୍ୱାରା ଶ୍ରୀମନ୍ଦିର ଉପରେ କୌଣସି ବିପଦ ନାହିଁ । ଶ୍ରଦ୍ଧାଳୁଙ୍କ ସୁବିଧା ନେଇ ଏହି କାର୍ଯ୍ୟ ଜାରି ରହିଥିବା କହିଛନ୍ତି । ସେପଟେ ନିର୍ମାଣ କାର୍ଯ୍ୟକୁ ନେଇ ଅଯଥା ରାଜନୀତି କରଣ ନକରି ଶ୍ରୀମନ୍ଦିରର ଉନ୍ନତି ପାଇଁ କରାଯାଉଥିବା କାର୍ଯ୍ୟକୁ ସେବାୟତମାନେ ସ୍ୱାଗତ କରିଛନ୍ତି ।

ସଜେଇ ହେଉଛି ଶ୍ରୀମନ୍ଦିର । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପରିକ୍ରମା ମାର୍ଗର ନିର୍ମାଣ କରୁଛନ୍ତି ରାଜ୍ୟ ସରକାର । ଏହାର ନିର୍ମାଣ ଯୋଗୁଁ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ରହିନାହିଁ । ଏନଏମଏର ଅନୁମିତି ମିଳିଥିବାବେଳେ ସମ୍ପୂର୍ଣ ବୈଷୟିକ ଜ୍ଞାନ କୌଶଳ ଅନୁଯାୟୀ ଜାରି ରହିଛି ନିର୍ମାଣ କାର୍ଯ୍ୟ । ASI ସହ ସମନ୍ୱୟ ରକ୍ଷା କରାଯାଇ ନିର୍ମାଣ କାର୍ଯ୍ୟ ହେଉଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ସେପଟେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ନିର୍ମାଣ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ।

ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ ବିଧାନସଭା ଓ ଲୋକ ସଭାରେ ପ୍ରଶ୍ନ ଉଠିଥିଲା । ତେବେ ପ୍ରକଳ୍ପ ନିର୍ମାଣ ଆଇନତଃ କରାଯାଉଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରକଳ୍ପକୁ ନେଇ ଉଠିଥିବା ବିରୋଧ ସମ୍ପୂର୍ଣ ଭିତ୍ତିହୀନ । ତେଣୁ ନିର୍ମାଣ କାର୍ଯ୍ୟକୁ ନେଇ ଅଯଥା ରାଜନୀତି କରଣ ନକରିବାକୁ ସେବାୟତମାନେ ମତ ଦେଇଛନ୍ତି ।  ସରକାରଙ୍କ ପକ୍ଷରୁ ପରିକ୍ରମା ପ୍ରକଳ୍ପ ନିର୍ମାଣ ଜୋରସୋରରେ ଚାଲିଥିବାବେଳେ ଏହାକୁ ଲଗାତର ମନିଟରିଂ କରାଯାଉଛି । ଏହାଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଯଥେଷ୍ଟ ଉପକୃତ ହେବେ ବୋଲି କୁହାଯାଇଛି ।