ଶ୍ରୀଲଙ୍କାରେ ସାଧାରଣ ନିର୍ବାଚନ : ୨୨୫ ଆସନ ପାଇଁ ମତ ସାବ୍ୟସ୍ତ କରୁଛନ୍ତି ୧୭ ନିୟୁତରୁ ଅଧିକ ଭୋଟର
1 min readନନ୍ଦିଘୋଷ ବ୍ୟୁରୋ : ଆଜି ଶ୍ରୀଲଙ୍କାରେ ସାଧାରଣ ନିର୍ବାଚନ । ତୀବ୍ର ଆର୍ଥିକ ସଙ୍କଟ କାଳରେ ଏହି ଋଣଗ୍ରସ୍ତ ଦେଶରେ ସାଧାରଣ ନିର୍ବାଚନ ପ୍ରତି ବିଶ୍ବର ଦୃଷ୍ଟି ରହିଛି । ଦେଶର ବାମପନ୍ଥୀ ରାଷ୍ଟ୍ରପତି ଅନୁରା କୁମାର ଦିଶାନାଏକେଙ୍କ ନିର୍ଦ୍ଦେଶ କ୍ରମେ ଏହି ନିର୍ବାଚନ ହେଉଛି । ୨୨୫ ଆସନ ବିଶିଷ୍ଟ ସଂସଦ ଲାଗି ଏହି ନିର୍ବାଚନ ହେଉଛି । ୨୦୨୨ରେ ଦେଶର ଆର୍ଥିକ ସଙ୍କଟ ତୀବ୍ର ହେବା ଯୋଗୁ ତତକାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫା ଦେଇଥିଲେ । ନିର୍ବାଚନରେ ୧୭ ନିୟୁତରୁ ଅଧିକ ଭୋଟର ୮ ହଜା ୮୦୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ।
ଦିଶାନାଏକେଙ୍କ ଜନତା ବିମୁକ୍ତି ପେରାମୁନା ବା ଜେଭିପି ନେତୃତ୍ବାଧୀନ ନ୍ଯାସନାଲ ପିପୁଲ୍ସ ପାଓ୍ବାର ବା ଏନପିପି ବହୁମତ ପାଇବ ବୋଲି ଆଶା କରାଯାଉଛି । ବିଗତ ସଂସଦରେ ଏନପିପିର ସଦସ୍ଯ ସଂଖ୍ଯା ଥିଲେ ମାତ୍ର ୩ ଜଣ । ଦିଶାନାଏକେ ବିଗତ ୨୫ ବର୍ଷ ଧରି ସାଂସଦ ଥିଲେ ଏବଂ କୃଷିମନ୍ତ୍ରୀ ଥିଲେ । ତେବେ ଦେଶରେ ଅର୍ଥନୈତିକ ଦୁଃସ୍ଥିତି ସମୟରେ ସେ ରାଜନୀତିରୁ କିଛିଦିନ ଲାଗି ଦୂରେଇ ରହିଥିଲେ । ୧୯୭୧ ଓ ୧୯୮୭ରେ ହୋଇଥିବା ଦୁଇଟି ବିଦ୍ରୋହରେ ଜେଭିପିର ୮୦ ହଜାରରୁ ଅଧିକ କର୍ମୀ ବଳିଦାନ ଦେଇଥିଲେ । ତେବେ ଗତ ୨୦୨୪ ସେପ୍ଟେମ୍ବର ୨୧ରେ ସେ ଶାନ୍ତିପୂର୍ଣ୍ଣ ଭାବେ ରାଷ୍ଟ୍ରପତି ପଦରେ ଅଭିଷିକ୍ତ ହୋଇଥିଲେ ।
ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ସମୟରେ ଶ୍ରୀଲଙ୍କାକୁ ମିଳିଥିଲା ୨.୯ ବିଲିୟନ ଡଲାରର ଆଇଏମଏଫ ବେଲ୍ ଆଉଟ ପ୍ଯାକେଜ । ତେବେ ଏହି ଧାରା ବଜାୟ ରହିବ ବୋଲି ଦିଶାନାଏକେ କରିଥିଲେ ଘୋଷଣା । ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ସଂଗଠନ ସିଲନ ଚାମ୍ବର ଅଫ କମର୍ସ ଦିଶାନାଏକେଙ୍କୁ ସମର୍ଥନ କରୁଛି । ସେପଟେ ବିରୋଧୀ ଦଳ ନେତା ତଥା ଏସଜେବି ନେତା ସାଜିଥ ପ୍ରେମଦାସା କହିଛନ୍ତି- ଦେଶରେ କର ହ୍ରାସ ଲାଗି ସେ ଦିଶାନାଏକେଙ୍କ ଉପରେ ଚାପ ପକାଇବେ । ପୂର୍ବର ସଂସଦରେ ତତକାଳୀନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷ ନତୃତ୍ବାଧୀନ ଶ୍ରୀଲଙ୍କା ପୋଦୁଜନା ପେରାମୁନା ବା ଏସଏଲପିପିର ସଂଖ୍ଯା ଗରିଷ୍ଠ ସଦସ୍ଯ ଥିଲେ । ଚଳିତ ନିର୍ବାଚନରେ ରାଜପକ୍ଷେ ଲଢୁ ନଥିବାବେଳେ ପୁଅ ନମାଲ ଲଢୁଛନ୍ତି ।