ଶ୍ରୀଲଙ୍କାରେ ସ୍ଥିତି ଗମ୍ଭୀର; ଜରୁରିକାଳୀନ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ

କୋଲମ୍ବୋ: ଶ୍ରୀଲଙ୍କାରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ରାଜଧାନୀ କୋଲମ୍ବୋରେ ଜନ ସମୁଦ୍ର ଦେଖିବାକୁ ମିଳିଛି । ରାଷ୍ଟ୍ରପତିଙ୍କ ବିରୋଧରେ ସାଧାରଣ ଲୋକମାନେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି । ଅର୍ଥନୈତିକ ସଙ୍କଟ ମଧ୍ୟରେ ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନ ଉପରେ କବଜା କରିଛନ୍ତି । ଆନ୍ଦୋଳନକାରୀଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡି ଚାଲିଯାଇଥିବା ସୂଚନା ।  ଆନ୍ଦୋଳନକାରୀମାନେ ଦୀର୍ଘ ସମୟ ହେବ ରାଜପକ୍ଷେଙ୍କ ଇସ୍ତଫା ଦାବି କରି ଆସୁଛନ୍ତି  । ଦେଶରେ ମହଙ୍ଗା ଶୀର୍ଷରେ ଥିବା ବେଳେ ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଅନ୍ୟପକ୍ଷରେ ଶ୍ରୀଲଙ୍କା ପିପୁଲ ଫ୍ରଣ୍ଟର ୧୬ ସାଂସଦ ରାଜପକ୍ଷେଙ୍କ ଇସ୍ତଫା ଦାବି କରିଛନ୍ତି ।

ପୋଲିସ ମଧ୍ୟ ଆନ୍ଦୋଳନକାରୀଙ୍କୁ କାବୁ କରିବା ପାଇଁ ଫାଙ୍କା ଗୁଳି ଚଳାଇବା ସହ ଲୁହବୁହା ଗ୍ୟାସର ପ୍ରୟୋଗ କରିଛି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିନ୍ଧେ ବାଚସ୍ପତିଙ୍କୁ ଜରୁରୀକାଳୀନ ସ୍ଥିତିରେ ସଂସଦ ବୈଠକ ପାଇଁ ଅନୁରୋଧ କରିଛନ୍ତି  । ଅନୁମାନ କରାଯାଉଛି ଯଦି ରାଜପକ୍ଷେ ଇସ୍ତଫା ଦେଉଛନ୍ତି ତେବେ ଏହି ଆନ୍ଦୋଳନ ସମ୍ଭବତଃ ଥମିପାରେ । ଶ୍ରୀଲଙ୍କାର ଜନସାଧାରଣ ରାସ୍ତା ଘାଟ, ସରକାରୀ କାର୍ଯ୍ୟାଳୟ ସବୁଠି ପ୍ରଦର୍ଶନ କରୁଛନ୍ତି । ଇସ୍ତଫା ଦାବି କରୁଛନ୍ତି । ପୋଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସଂଘର୍ଷରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି ।