ଶ୍ରୀଲଙ୍କା ସଂକଟ: ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କ ଘରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ

1 min read

କୋଲମ୍ବୋ: ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟକୁ ନେଇ ଉପୁଜିଥିବା ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯାଉଥିବାର ଦୃଶ୍ୟମାନ ହେଉଛି । ଆନ୍ଦୋଳନକାରୀ ମାନେ ସମସ୍ତ ସୀମା ଟପିଯାଇଛନ୍ତି । ମଧ୍ୟାହ୍ନରେ ରାଷ୍ଟ୍ରପତି ଭବନ ଉପରେ କବଜା କରିବା ସହ ଭଙ୍ଗାରୁଜା କରିଥିଲେ ।  ଆଉ ଏବେ ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିଜ ବାସଭବନ ଏବେ ହୁତୁହୁତୁ ହୋଇ ଜଳୁଛି। ପୋଲିସ ମଧ୍ୟ ଆନ୍ଦୋଳନକାରୀଙ୍କ ଉପରେ ପାଲଟା ଆକ୍ରମଣ କରିଛି  । ଏଥିରେ କିଛି ଲୋକ ଆହତ ହୋଇଥିବା ସୂଚନା  ।

ଏହା ପୂର୍ବରୁ ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୋଲିସ ବଳ ପ୍ରୟୋଗ କରିଥିଲା  । ସେମାନଙ୍କ ଉପରକୁ ଲୁହ ବୁହା ଗ୍ୟାସ ମାଡ କରିଥିଲା ଏବଂ ଉଚ୍ଚ ଚାପ ପାଣି ମଧ୍ୟ ମାଡ଼ କରିଥିଲା । ହେଲେ ସବୁକୁ ପାର କରି ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି । ସୂଚନାଥାଉକି, ଶ୍ରୀଲଙ୍କା ସଙ୍କଟ ମଧ୍ୟରେ ସାଂସଦମାନଙ୍କ ଦାବି କ୍ରମେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ପଦ ଛାଡିବା ପାଇଁ ରାଜି ହୋଇଥିଲେ । ଅନ୍ୟପକ୍ଷରେ ଶ୍ରୀଲଙ୍କା ସଙ୍କଟର ମୂଳ କାରଣ ରାଷ୍ଟ୍ରପତି ଗୋଟାବାୟା ଦେଶ ଛାଡି ପଳାୟନ କରିଛନ୍ତି  । ଏପରି ସ୍ଥିତିରେ ସର୍ବଦଳୀୟ ସରକାର ଗଠନ ନେଇ ଆଶଙ୍କା କରାଯାଉଛି  ।