ବିଶ୍ବକପରେ ମାସ୍କ ପିନ୍ଧି ମୁହାଁମୁହିଁ ହେବେ ଶ୍ରୀଲଙ୍କା ବାଂଲାଦେଶ
1 min readନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ୨୦୨୩ ବିଶ୍ବକପ । ଆଗାମୀ ମ୍ୟାଚ ଦିଲ୍ଲୀରେ ହେବାକୁ ଯାଉଛି । ହେଲେ ଦିଲ୍ଲୀ ମ୍ୟାଚରେ ମାସ୍କ ପିନ୍ଧି ଖେଳିବେ ଖେଳାଳୀ । ଏହାର କାରଣ ହେଉଛି ଦିଲ୍ଲୀ ପ୍ରଦୂଷଣ । ଆସନ୍ତା କିଛି ଦିନ ମଧ୍ୟରେ ସ୍ଥିତି ସୁଧାରିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ବଡ ପ୍ରଶ୍ନ ଯେ ଏଭଳି ପାଗରେ କେମିତି ମ୍ୟାଚ ଖେଳାଯିବ ।
ଆଗାମୀ ନଭେମ୍ବର ୬ରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମ୍ୟାଚ ଖେଳାଯିବ । ସେପଟେ ଦିଲ୍ଲୀରେ ଲଗାତାର ପ୍ରଦୂଷଣ ପାଇଁ ମ୍ୟାଚକୁ ନେଇ ସସପେନ୍ସ ଜାରି ରହିଛି । ପାଣିପାଗ ବିଭାଗ ଅନୁସାରେ ଆଗାମୀ କିଛି ଦିନ ମଧ୍ୟରେ ସ୍ଥିତି ଏହିଭଳି ରହିବ । ଏପରି ସ୍ଥିତିରେ ଲୋକଙ୍କୁ ୨୦୧୭ ମ୍ୟାଚ ମନେ ପଡୁଛି । ୨୦୧୭ରେ ମାସ୍କ ପିନ୍ଧି ମୁହାଁମୁହିଁ ହୋଇଥିଲେ ଭାରତ ଓ ଶ୍ରୀଲଙ୍କା ଟିମ ।
ସେହିଦିନ ଦିଲ୍ଲୀରେ ବାୟୁର ଗୁଣବତ୍ତା ୩୫୧ ଥିଲା ଯାହାକି ବିପଦଜନକ ଥିଲା । ଏବେ ପୁଣି ଥରେ ବିଶ୍ବକପ ମ୍ୟାଚରେ ମାସ୍କ ପିନ୍ଧି ଖେଳିବା ସ୍ଥିତି ଉପୁଜିଛି ।
ମ୍ୟାଚ ପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣ କମ କରିବା ପାଇଁ ପ୍ରୟାସ ଜାରି ରହିଛି । ଷ୍ଟାଡିୟମ ଆଖପାଖରେ କଟକଣା ଲାଗୁ ହୋଇଛି । ଧୂଳିରୁ ମୁକ୍ତି ପାଇଁ ରାସ୍ତାଘାଟରେ ପାଣି ସୁଞ୍ଚନ ସହ ଡଷ୍ଟ ସପ୍ରେସେଣ୍ଟର ବି ବ୍ୟବହାର କରାଯାଉଛି । ସେହିପରି ମ୍ୟାଚ ଦେଖିବା ପାଇଁ ବ୍ୟକ୍ତିଗତ ଗାଡିର ବ୍ୟବହାର ନ କରି ମେଟ୍ରୋର ବ୍ୟବହାର କରିବା ପାଇଁ କୁହାଯାଇଛି । କିନ୍ତୁ ମ୍ୟାଚକୁ ନେଇ BCCI ଏପର୍ଯ୍ୟନ୍ତ କୌଣସି ଅପଡେଟ ଦେଇନାହାନ୍ତି ।