ଓବିସି, ଏସଇବିସିଙ୍କୁ ସଂରକ୍ଷଣ ପ୍ରସଙ୍ଗ, କ୍ୟାବିନେଟର ନିଷ୍ପତ୍ତିକୁ ଶ୍ରୀକାନ୍ତଙ୍କ ସମାଲୋଚନା

ଭୁବନେଶ୍ବର ; ଓବିସି, ଏସଇବିସିଙ୍କ ପାଇଁ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଘୋର ନିନ୍ଦା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ଶ୍ରୀକାନ୍ତ ଜେନା । ଏହି ନିଷ୍ପତ୍ତି ନିଷ୍ଠୁର ଓ ଏକ ପରିହାସ ବୋଲି ସେ କହିଛନ୍ତି । ଏହା କେବଳ ଉଚ୍ଚଶିକ୍ଷା ବିଭାଗରେ ଦିଆଯାଇଛି । ମେଡିକାଲ୍, ଇଞ୍ଜିନିୟର ଓ ଅନ୍ୟାନ୍ୟ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ଏହାକୁ ଲାଗୁ କରିବାକୁ ଦାବି କରାଯାଇଥିଲା । ତେଣୁ ଚଳିତ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ଏହି ନିଷ୍ପତ୍ତି ବଦଳାଯାଉ । କେବଳ ଉଚ୍ଚଶିକ୍ଷା ବିଭାଗରେ ନୁହେଁ ମେଡିକାଲ, ଇଞ୍ଜିନିୟରିଂ ଓ ବୃତ୍ତିଗତ ଶିକ୍ଷାରେ ୨୭% ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ କରାଯାଉ। ସେହିପରି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ୨୭% ସଂରକ୍ଷଣ କରାଯାଉ ବୋଲି ଦାବି କରିଛନ୍ତି ଶ୍ରୀକାନ୍ତ । ଗତକାଲି ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହି ସଂରକ୍ଷଣ ନୀତି ଚଳିତ ଶିକ୍ଷା ବର୍ଷରୁ ରାଜ୍ୟର ସବୁ ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗୁ କରାଯିବ । ଏହା ସହିତ ଉଚ୍ଚଶିକ୍ଷାରେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୨୨.୫ ପ୍ରତିଶତ, ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୬.୨୫ ପ୍ରତିଶତ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ୫ ପ୍ରତିଶତ ଓ ପୂର୍ବତନ ସେନାନୀଙ୍କ ପରିବାର ସଦସ୍ୟଙ୍କ ଲାଗି ୧ ପ୍ରତିଶତ ସଂରକ୍ଷଣ ପୂର୍ବ ପରି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।