୨୦୨୭ ବିଶ୍ବକପରେ ବିରାଟ ଏବଂ ରୋହିତ ଖେଳିବାକୁ ନେଇ ଏମିତି କହିଲେ ଶ୍ରୀକାନ୍ତ

ନନ୍ଦିଘୋଷ ବ୍ୟୁରୋ: ବାରମ୍ବାର ଚର୍ଚ୍ଚାରେ ରହୁଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟର କ୍ରିଷ୍ଣାମଚାରୀ ଶ୍ରୀକାନ୍ତ । ନିଜର ୟୁଟ୍ୟୁବ ଚ୍ୟାନେଲ ବିବାଦୀୟ ପ୍ରତିକ୍ରିୟା ରଖି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି । ତେବେ ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏକ ଜାତୀୟ ଗଣମାଧ୍ୟମରେ କହିଥିଲେ କି, ବିରାଟ କୋହଲି ଏବଂ ରୋହିତ ଶର୍ମା ଯେତେଦିନ ଫିଟ୍ ରହିବେ ସେମାନେ ଦଳରେ ଖେଳିପାରିବେ । ଏପରିକି ସେମାନେ ୨୦୨୭ ଦିନିକିଆ ବିଶ୍ବକପ ମଧ୍ୟ ଖେଳିପାରନ୍ତି । ତେବେ ଏହାକୁ ନେଇ ନିଜର ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ କରି ଶ୍ରୀକାନ୍ତ କହିଛନ୍ତି କି, ୨୦୨୭ ବିଶ୍ବକପ ଖେଳିଲେ ରୋହିତ ବେହୋସ ହୋଇଯିବେ । ବିରାଟ କୋହଲି ହେଉଛନ୍ତି ଜଣେ ଚାମ୍ପିୟନ ଖେଳାଳି ସେ ହୁଏତ ଖେଳିପାରନ୍ତି କିନ୍ତୁ ରୋହିତ ଖେଳିପାରିବେ ନାହିଁ । ରୋହିତଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀକାନ୍ତ ।

ରୋହିତଙ୍କ ଫିଟନେସକୁ ନେଇ ଶ୍ରୀକାନ୍ତ ଏବଂ ତାଙ୍କ ପୁଅ ଭିଡିଓରେ ହସୁଥିବାବେଳେ ଏହା ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ସମାନେ ଟ୍ରୋଲ ମଧ୍ୟ କରୁଛନ୍ତି । ଶ୍ରୀକାନ୍ତ ୟୁଜର୍ସମାନେ କମେଣ୍ଟ କରୁଥିବାବେଳେ ତାଙ୍କୁ ଗାଳି ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣା କିଛି ନୂଆ ନୁହେଁ ଆଇପିଏଲ ୨୦୨୪ ସମୟରେ ମଧ୍ୟ ରୋହିତଙ୍କୁ ନେଇ ଏଭଳି କିଛି ଭିଡିଓ କରିଥିଲେ ଶ୍ରୀକାନ୍ତ ।