ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ପଲଙ୍କରେ ବିକ୍ଷୋଭକାରୀଙ୍କ କୁସ୍ତି

1 min read

କଲୋମ୍ବୋ: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଜାରି ରହିଥିବା ବେଳେ ବିକ୍ଷୋଭ ଜାରି ରଖିଛନ୍ତି ଅତିଷ୍ଠ ଦେଶବାସୀ। ଏହାଭିତରେ ରାଷ୍ଟ୍ରପତି ଭବନକୁ କବଜା କରିଛନ୍ତି ଜନସାଧାରଣ । ସଙ୍କଟ ଭିତରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଫଟୋକୁ ଦେଖିଲେ ହସି ହସି ବେଦମ ହୋଇଯିବେ।

ରାଷ୍ଟ୍ରପତିଙ୍କ ପରେ ପ୍ରଧାନମନ୍ତ୍ରୀଙ୍‌କ ବାସଭବନକୁ ନିଜ ଅକ୍ତିଆରରେ ନେଇଛନ୍ତି ବିକ୍ଷୋଭକାରୀ । ସେଠାରେ ମଉଜ କରିବା ସହ ତାସ୍ ଖେଳୁଛନ୍ତି । ଭାଇରାଲ୍ ହେଉଥିବା ଭିଡ଼ିଓ  ଓ ଫଟୋକୁ ଦେଖିଲେ ଯେକେହିବି ଏହାକୁ ଟୁରିଷ୍ଟ ସ୍ପଟ୍ ବୋଲି ଭାବିନେବେ । ଖାଲି ଏତିକି ନୁହେଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ପଲଙ୍କରେ ବିକ୍ଷୋଭକାରୀ କୁସ୍ତି କରୁଥିବା ନଜର ଆସିଛି।

ଭିଡ଼ିଓଟିରେ ଆପଣ ଦେଖିପାରିବେ କିଭଳି କିଛି ବିକ୍ଷୋଭକାରୀ ଦଳ ପରସ୍ପର ମଧ୍ୟରେ WWE ଖେଳୁଛନ୍ତି । ଜଣେ ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିଙ୍କୁ ଉଠାଇ ପଲଙ୍କରେ ଫେପାଡୁଛନ୍ତି । ସେପଟେ ଅନ୍ୟଜଣେ ବ୍ୟକ୍ତି ରେଫ୍ରି ସାଜି କୁସ୍ତି ଖେଳକୁ ଆଗେଇ ନେଉଛନ୍ତି ।

ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ୟୁଜର୍ସ ଖୁବ୍ କମେଣ୍ଟ କରିବାରେ ଲାଗିଛନ୍ତି ।

କେବଳ ଏତିକି ନୁହେଁ  ନିକଟରେ ହଜାର ହଜାର ସଂଖ୍ୟାରେ ଜନତା  ରାଷ୍ଟ୍ରପତିଙ୍କ ବାସଭବନରେ ଧସେଇ ପଶିଥିଲେ। ଦେଖୁ ଦେଖୁ ପୂରା ବାସଭବନକୁ କବଜା କରିନେଇଥିଲେ ବିକ୍ଷୋଭକାରୀ। ଯାହାର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସୁଇମିଂ ପୁଲରେ ଲୋକମାନେ ଗାଧୋଉଥିବାର ନଜର ଆସିଥିଲେ। ତ ଆଉ କେହି କେହି ରୋଷେଇ ଘରେ ପଶି ଖାଉଥିବା ବେଳେ ଆଉ କେହି ବେଡରୁମରେ ପଶି ନାଚୁଥିଲେ।

ଜିମରେ ପଶି କସରତ ମଧ୍ୟ କରୁଛନ୍ତି । ମନ ଖୁସିରେ ତାସ୍ ବି ଖେଳୁଛନ୍ତି । ତ ଆଉ କେହି ସେଲଫି ନେଉଛନ୍ତି । ଖଟରେ ଶୋଇ ଅଏସ୍ କରୁଛନ୍ତି । ରାଷ୍ଟ୍ରପତିଙ୍‌କ ଆଲମାରିରେ ଥିବା ପୋଷାକ ଏଣେତେଣେ ପଡିଛି, ଯାହାକୁ ଧରି ସେଲଫି ମଧ୍ୟ ନେଉଛନ୍ତି ।