ଶ୍ରୀଲଙ୍କା ରାଷ୍ଟ୍ରପତି ରାଜପକ୍ଷଙ୍କ ଘୋଷଣା, ସପ୍ତାହରେ ଦେଶରେ ନିଯୁକ୍ତ ହେବେ ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଘୋଷଣା । ଚଳିତ ସପ୍ତାହରେ ଦେଶରେ ନିଯୁକ୍ତ ହେବେ ନୂଆ ପ୍ରଧାନମନ୍ତ୍ରୀଙ୍କ ସମେତ କ୍ୟାବିନେଟ । ସେ କହିଛନ୍ତି ଦେଶରେ ଅସ୍ଥିରତା ଦୂର ଲାଗି ଖୁବ୍ ଶୀଘ୍ର ନୂଆ ସରକାର ଗଠନ ହେବ । ଏହାସହ ସମ୍ବିଧାନର ଧାରା ୧୯ରୁ ସଂଶୋଧନ କରାଯିବ । ଯାହାଫଳରେ ପାର୍ଲାମେଣ୍ଟ ଅଧିକ କ୍ଷମତାଶାଳୀ ହେବ । ସେପଟେ ଇସ୍ତଫା ଦେଇଥିବା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ କେଉଁଠାରେ ଅଛନ୍ତି ତାହାର ସୂଚନା ମିଳିପାରିନାହିଁ ।

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଓ ରାଜନୈତିକ ଅସ୍ଥିରତାକୁ ନେଇ କୁହୁଳୁଥିବା ହିଂସା ଚରମ ସୀମାରେ ପହଞ୍ଚିଛି । ପୋଡ଼ାଜଳା, ବିକ୍ଷୋଭ ଯୋଗୁ ସାରାଦେଶରେ ବ୍ୟାପକ ଅରାଜକତା ଜାରି ରହିଛି । ସଡ଼କରେ ହିଂସା ରୋକିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ସୁଟ୍ ଅନ୍ ସାଇଟ୍ ଅର୍ଡର ଦେଇଛି । ସେପଟେ ଶ୍ରୀଲଙ୍କାରେ ଲୋକତନ୍ତ୍ର, ସ୍ଥିରତା, ଆର୍ଥିକ ସୁଧାର ପାଇଁ ଭାରତ ସବୁ ପ୍ରକାର ସହଯୋଗ ଜାରି ରଖିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ସଚିବ ଅରିନ୍ଦମ ବାଗଚୀ କହିଛନ୍ତି ।