ଭୁଲ ସ୍ବୀକାର କଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା

କଲମ୍ବୋ: ଭୁଲ ସ୍ବୀକାର କଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ଦେଶର ଅର୍ଥନୈତିକ ସଂକଟ ପାଇଁ ସେ ଦାୟୀ ବୋଲି ପ୍ରଥମ ଥର ପାଇଁ ସ୍ବୀକାର କରିଛନ୍ତି ରାଷ୍ଟ୍ରପତି ରାଜପକ୍ଷ । ନିଜ କ୍ୟାବିନେଟର ୧୭ ନୂଆ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ନିଜ ତ୍ରୁଟି ସ୍ବୀକାର କରିଛନ୍ତି ରାଜପକ୍ଷ । ତ୍ରୁଟି ସୁଧାରିବାକୁ ସେ ସଂକଳ୍ପବଦ୍ଧ ହୋଇଛନ୍ତି । ଗତ ଅଢେଇ ବର୍ଷ ମଧ୍ୟରେ ଶ୍ରୀଲଙ୍କା କୋଭିଡ ମହାମାରୀ ସହ ଋଣ ଭାର ଭଳି ଏକାଧିକ ଆହ୍ବାନର ସମ୍ମୁଖୀନ ହୋଇଛି ।

ସରକାରଙ୍କ ପକ୍ଷରୁ ମଧ୍ୟ ଭୁଲ ହୋଇଛି । ଏବେ ସେହି ଭୁଲ ସୁଧାରିବାର ବେଳ ଆସିଛି ବୋଲି କହିଛନ୍ତି ରାଜପକ୍ଷ । ଶ୍ରୀଲଙ୍କାରେ ଦେଖାଦେଇଥିବା ଘୋର ଆର୍ଥିକ ସଂକଟ ଯୋଗୁଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ସରକାରଙ୍କ ବିରୋଧରେ ଜାରି ରହିଛି ବିକ୍ଷୋଭ । ଇସ୍ତଫା ଦାବି ଜୋରଦାର ହୋଇଥିବା ବେଳେ ରାଷ୍ଟ୍ରପତି ଗୋଟାବାୟା ଗତକାଲି କ୍ୟାବିନେଟରେ ୧୭ ଜଣ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଥିଲେ ।

ବିଦେଶୀ ଋଣଭାରରେ ବୁଡି ରହିଛି ଶ୍ରୀଲଙ୍କା । ୨୫ ବିଲିଅନ ଆମେରିକୀୟ ଡଲାର ଋଣ ମଧ୍ୟରୁ ଶ୍ରୀଲଙ୍କାକୁ ୭ ବିଲିଅନ ଡଲାରର ଋଣ ଏ ବର୍ଷ ପରିଶୋଧ କରିବାକୁ ହେବ । ଦେବାଳିଆ ସ୍ଥିତିକୁ ଆସିଯାଇଛି ଶ୍ରୀଲଙ୍କା । ବିଦେଶୀ ମୁଦ୍ରା ଭଣ୍ଡାର ପ୍ରାୟ ଶେଷ ହୋଇଯାଇଥିବା ବେଳେ ବିଦେଶୀ ସାମଗ୍ରୀ ଆମଦାନୀ କରିବାରେ ଅସମର୍ଥ ହୋଇଛି ଶ୍ରୀଲଙ୍କା ।