ଶ୍ରୀଲଙ୍କାରେ ସୁଧୁରିଲା ଆଇନ ଶୃଙ୍ଖଳା ପରିସ୍ଥିତି: ହଟିଲା ଏମରଜେନ୍ସି

କଲୋମ୍ୱୋ: ଜରୁରୀକାଳୀନ ପରିସ୍ଥିତିକୁ ପ୍ରତ୍ୟାହାର କଲେ ଶ୍ରୀଲଙ୍କା ସରକାର । ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆସିବା ପରେ ଶ୍ରୀଲଙ୍କା ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆର୍ଥିକ ସଂକଟକୁ ନେଇ ହିଂସା ଆରମ୍ଭ ହେବା ପରେ ଗତ ୬ ତାରିଖ ମଧ୍ୟରାତ୍ରିଠାରୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ ।
Sri Lanka: State of emergency still in place as curfew lifted - Times of India
ଏହା ସତ୍ତ୍ୱେ ବି ଦେଶରେ ହିଂସା କମିନଥିଲା । ପରେ ୯ତାରିଖରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସ ବାଧ୍ୟହୋଇ ଇସ୍ତଫା ଦେଇଥିଲେ । କିନ୍ତୁ ମହିନ୍ଦାଙ୍କ ସମର୍ଥକ ଓ ବିକ୍ଷୋଭକାରୀମାନଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା । ଏହି ହିଂସା ଫଳରେ ୯ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ । ପରେ ରାଷ୍ଟ୍ରପତି ଗୋଟାବାୟା ରାନିଲ ବିକ୍ରମସିଂହେଙ୍କୁ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥିଲେ । ରାନିଲ ଆସିବା ପରେ ଦେଶର ସ୍ଥିତି ସୁଧାରିବାକୁ ସେ କେତେକ ପଦକ୍ଷେପ ନେବା ସହ ପଡ଼ୋଶୀ ଭାରତର ସହାୟତା ମାଗିଛନ୍ତି ।
ତେବେ ଶ୍ରୀଲଙ୍କାର ଅର୍ଥନୀତିକୁ ରାତାରାତି ସୁଧାରିବାକୁ ତାଙ୍କ ପାଖରେ କୌଣସି ଉପାୟ ନାହିଁ ବୋଲି ରାନିଲ କହିଛନ୍ତି । ଶ୍ରୀଲଙ୍କାରେ ଏବେ ମୁଦ୍ରାସ୍ପୀତି ହାର ୪୦ ପ୍ରତିଶତ ଆଡ଼କୁ ଗତି କରିଥିବାବେଳେ ଖାଦ୍ୟସାମଗ୍ରୀ, ଇନ୍ଧନ ଓ ଔଷଧର ଗୁରୁତର ଅଭାବ ଦେଖାଦେଇଛି । ପୁଣି ଆମଦାନୀ କରିବାକୁ ସରକାରଙ୍କ ପାଖରେ ଯଥେଷ୍ଟ ପରିମାଣରେ ବିଦେଶୀ ମୁଦ୍ରା ନାହିଁ ।