ଟୁରିଷ୍ଟ ସ୍ପଟ୍ ପାଲଟିଲା ରାଷ୍ଟ୍ରପତିଙ୍କ ବାସଭବନ, କିଏ କସରତ କରୁଛି ତ ଆଉ କିଏ ଆରାମ…

କଲୋମ୍ବୋ: ଶ୍ରୀଲଙ୍କାରେ ଜାରି ରହିଛି ଆର୍ଥିକ ସଙ୍କଟ। ଅତିଷ୍ଠ ଦେଶବାସୀ ବିକ୍ଷୋଭ ଜାରି ରଖିଛନ୍ତି। ଏହାଭିତରେ ରାଷ୍ଟ୍ରପତି ଭବନକୁ କବଜା କରିଛନ୍ତି ଜନସାଧାରଣ । ସ୍ଥିତି ଏଭଳି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନିଆଁ ଲଗାଇବାକୁ ପଛାଇ ନାହାଁନ୍ତି ଜନତା।  ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଫଟୋକୁ ଦେଖିଲେ ହସି ହସି ବେଦମ ହୋଇଯିବେ । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ପଲଙ୍କରେ ବିକ୍ଷୋଭକାରୀଙ୍କ ମଜାଳିଆ କୁସ୍ତି ।

ଉତ୍ୟକ୍ତ ଦେଶବାସୀଙ୍କୁ ଛାଡ଼ି ଫେରାର ହୋଇଛନ୍ତି ରାଷ୍ଟ୍ରପତି । ଘୋର ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ରାଷ୍ଟ୍ରପତି ମଧ୍ୟ ପଦ ଛାଡିବାକୁ ଘୋଷଣା କରିଛନ୍ତି । କିନ୍ତୁ ଉତ୍ୟକ୍ତ ଜନ ସାଧାରଣ ରାଷ୍ଟ୍ରପତି ଇସ୍ତଫା ନଦେଲା ଯାଏଁ ବାସଭବନ ଛାଡିବେ ନାହିଁ ବୋଲି ରୋକଠୋକ୍ ମନା କରିଦେଇଛନ୍ତି ।

ହଜାର ହଜାର ସଂଖ୍ୟାରେ ଜନତା  ରାଷ୍ଟ୍ରପତିଙ୍କ ବାସଭବନରେ ଧସେଇ ପଶିଥିଲେ। ଦେଖୁ ଦେଖୁ ପୂରା ବାସଭବନକୁ କବଜା କରିନେଇଥିଲେ ବିକ୍ଷୋଭକାରୀ। ଯାହାର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସୁଇମିଂ ପୁଲରେ ଲୋକମାନେ ଗାଧୋଉଥିବାର ନଜର ଆସିଥିଲେ। ତ ଆଉ କେହି କେହି ରୋଷେଇ ଘରେ ପଶି ଖାଉଥିବା ବେଳେ ଆଉ କେହି ବେଡରୁମରେ ପଶି ନାଚୁଥିଲେ।

ଜିମରେ ପଶି କସରତ ମଧ୍ୟ କରୁଛନ୍ତି । ମନ ଖୁସିରେ ତାସ୍ ବି ଖେଳୁଛନ୍ତି । ତ ଆଉ କେହି ସେଲଫି ନେଉଛନ୍ତି । ଖଟରେ ଶୋଇ ଅଏସ୍ କରୁଛନ୍ତି । ରାଷ୍ଟ୍ରପତିଙ୍‌କ ଆଲମାରିରେ ଥିବା ପୋଷାକ ଏଣେତେଣେ ପଡିଛି, ଯାହାକୁ ଧରି ସେଲଫି ମଧ୍ୟ ନେଉଛନ୍ତି ।

ରାଷ୍ଟ୍ରପତିଙ୍କ ପରେ ପ୍ରଧାନମନ୍ତ୍ରୀଙ୍‌କ ବାସଭବନକୁ ନିଜ ଅକ୍ତିଆରରେ ନେଇଛନ୍ତି ବିକ୍ଷୋଭକାରୀ । ସେଠାରେ ମଉଜ କରିବା ସହ ତାସ୍ ଖେଳୁଛନ୍ତି । ଭାଇରାଲ୍ ହେଉଥିବା ଭିଡ଼ିଓ  ଓ ଫଟୋକୁ ଦେଖିଲେ ଯେକେହିବି ଏହାକୁ ଟୁରିଷ୍ଟ ସ୍ପଟ୍ ବୋଲି ଭାବିନେବେ ।