ଆଜି ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ, ପ୍ରଥମ ଥର ପାଇଁ ହେଉଛି ପରୋକ୍ଷ ଭୋଟ

କଲମ୍ବୋ: ଆଜି ଶ୍ରୀଲଙ୍କା ଦେଖିବ ନୂଆ ରାଷ୍ଟ୍ରପତି । ଶ୍ରୀଲଙ୍କାରେ ପ୍ରଥମ ଥର ପାଇଁ ପରୋକ୍ଷରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ସିକ୍ରେଟ୍ ବାଲଟ ମାଧ୍ୟମରେ ନିର୍ବାଚନ ହେବ । ଶ୍ରୀଲଙ୍କା ରାଷ୍ଟ୍ରପତି ପଦ ପାଇଁ ହେବ ତ୍ରିମୁଖୀ ଲଢ଼େଇ । ରେସରେ ଅଛନ୍ତି କାମଚଳା ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ । ତାଙ୍କୁ ଟକ୍କର ଦେବେ ଡୁଲାସ୍ ଆଲାପେରୁମା ଓ ଅନୁରା କୁମାର ଦିସାନାୟକେ । ଉଭୟଙ୍କ ନାଁ ପ୍ରସ୍ତାବ ଶ୍ରୀଲଙ୍କା ସାଂସଦ ଦେଇଛନ୍ତି ।

ଆଜି ରାଷ୍ଟ୍ରପତି ନିର୍ବାଚନରେ ଗୋଟାବାୟା ରାଜପାକ୍ଷେଙ୍କ ଉତ୍ତରାଧିକାରୀଙ୍କୁ ବଛାଯିବ । ତେବେ ଶ୍ରୀଲଙ୍କାର ପ୍ରମୁଖ ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା ରାଷ୍ଟ୍ରପତି ରେସରୁ ଓହରି ଯାଇଛନ୍ତି । ଆଲାପେରୁମାଙ୍କୁ ସମର୍ଥନ କରିବା ପାଇଁ ସେ ପ୍ରତିଦ୍ୱନ୍ଦ୍ୱିତାରୁ ଓହରି ଯାଇଛନ୍ତି । ୨୨୫ ସଦସ୍ୟ ଥିବା ଶ୍ରୀଲଙ୍କା ପାର୍ଲାମେଣ୍ଟ ଆଜି ନୂଆ ରାଷ୍ଟ୍ରପତି ବାଛିବ । ନବନିର୍ବାଚିତ ରାଷ୍ଟ୍ରପତି ୨୦୨୪ ନଭେମ୍ବର ପର୍ଯ୍ୟନ୍ତ ଦାୟିତ୍ୱ ନେବେ । ୧୧୩ଟି ଭୋଟ ପାଇଲେ ରେସରେ ଥିବା ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯିବ ।