ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଜାରି, ପ୍ରଧାନମନ୍ତ୍ରୀଙ୍କୁ ବଦଳାଇବାକୁ ରାଜି ହେଲେ ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାର ଅର୍ଥନୀତି ବ୍ୟବସ୍ଥା ଦିନକୁ ଦିନ ଗମ୍ଭୀର ହୋଇ ଚାଲିଥିବା ବେଳେ ରାଜନୈତିକ ସଙ୍କଟ ଏହି ସ୍ଥିତିକୁ ଆହୁରି ବେହାଲ କରିବାରେ ଲାଗିଛି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସରକାରକୁ ବରଖାସ୍ତ କରିବାକୁ ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇ ଆସୁଛି । କିନ୍ତୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ କୌଣସି ସ୍ଥିତିରେ ଗାଦି ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି । ପୂର୍ବରୁ ତାଙ୍କ ମନ୍ତ୍ରିମଣ୍ଡଳର ବହୁ ବରିଷ୍ଠ ସଦସ୍ୟ ଇସ୍ତଫା ଦେଇସାରିଛନ୍ତି । ତେବେ ସବୁ ମହଲର ଦାବିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଗୋଟାବୟା ତାଙ୍କ ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ବିଦା କରିବାକୁ ଶୁକ୍ରବାର ସହମତ ହୋଇଛନ୍ତି ।

ଦେଶର ସାଂପ୍ରତିକ ସ୍ଥିତିକୁ ମୁକାବିଲା କରିବା ଉଦ୍ଦେଶ୍ୟରେ ଏକ ମିଳିତ ସରକାର ପ୍ରତିଷ୍ଠା କରିବାକୁ ଗୋଟାବାୟା ପୂର୍ବରୁ ବିରୋଧୀଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ସବୁ ବିରୋଧୀ ଦଳ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ତେବେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ବିଦା କରି ଜଣେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରିବାକୁ ସେ ଏବେ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ସବୁ ଦଳକୁ ନେଇ ଏକ ଜାତୀୟ ପରିଷଦ ଗଠନ କରିବା ସହିତ ଏହି ପରିଷଦ ନୂଆ ପ୍ରଧାନମନ୍ତ୍ରୀଙ୍କୁ ଚୟନ କରିବ ବୋଲି ଗୋଟାବାୟା କହିଛନ୍ତି । ଯଦି ମହିନ୍ଦା ରାଜପକ୍ଷେ ବିଦା ହୁଅନ୍ତି ତେବେ ଶ୍ରୀଲଙ୍କା ରାଜନୀତିରେ ରାଜପକ୍ଷେ ପରିବାରର କ୍ଷମତା ଏକ ପ୍ରକାର କ୍ଷୁର୍ଣ୍ଣ ହେବ । ରାଷ୍ଟ୍ରପତି ଗୋଟାବାୟାଙ୍କ ସମେତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ, ଅର୍ଥମନ୍ତ୍ରୀ ଏବଂ ଅନ୍ୟ ବହୁ ବିଭାଗର ବରିଷ୍ଠ ମନ୍ତ୍ରୀ ଏହି ପରିବାରର ରହିଥିଲେ।  କିନ୍ତୁ ଶ୍ରୀଲଙ୍କାରେ ଆର୍ଥିକ ଅନଟନ ଆରମ୍ଭ ହେବା ପରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବା ସହିତ ରାଜପକ୍ଷେ ପରିବାରକୁ ବିରୋଧ କରିଥିଲେ। ଶ୍ରୀଲଙ୍କାର ଏହି ସ୍ଥିତି ପାଇଁ ରାଜପକ୍ଷେ ପରିବାର ହିଁ ଦାୟୀ ବୋଲି କୁହାଯିବା ପରେ ଏହି ପରିବାରର ବହୁ ମନ୍ତ୍ରୀ ଇସ୍ତଫା ଦେଇଥିଲେ।