ଆଜିଠୁ ଆରମ୍ଭ ଶ୍ରୀଲଙ୍କା ସଂସଦ ଅଧିବେଶନ, ପ୍ରଧାନମନ୍ତ୍ରୀ ମହିନ୍ଦାଙ୍କ ବିରୋଧରେ ଅନାସ୍ଥା ଆଣିପାରନ୍ତି ବିରୋଧୀ

କଲୋମ୍ବୋ: ରାଜନୈତିକ ସଂକଟ ଭିତରେ ଆଜିଠାରୁ ଆରମ୍ଭ ହେବ ଶ୍ରୀଲଙ୍କା ସଂସଦ ଅଧିବେଶନ । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ବିରୋଧରେ ଅନାସ୍ଥା ଆଣିବା ଲାଗି ବିରୋଧୀ ମେଳି କରିଥିବା ବେଳେ ସରକାର ରହିଛନ୍ତି ଅବିଚଳ । ସେପଟେ ଶ୍ରୀଲଙ୍କାକୁ ବିଶ୍ୱବ୍ୟାଙ୍କ ୬୦୦ ନିୟୁତ ଡଲାର ଆର୍ଥିକ ସହାୟତା ଦେବ ବୋଲି କହିଛନ୍ତି ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ନନ୍ଦଲାଲ ଓ୍ୱିକ୍ରମସିଂ । ଏହି ଅର୍ଥରୁ କମ୍ ଆୟକାରୀ ବର୍ଗଙ୍କୁ ୩ ହଜାରରୁ ୭ ହଜାର ୫୦୦ ଟଙ୍କା ଲେଖାଁଏ ସହାୟତା ଦେବାକୁ ଘୋଷଣା କରିଛନ୍ତି ଶ୍ରୀଲଙ୍କା ସରକାର । ଦେଶର ଆର୍ଥିକ ସ୍ଥିତି ସଂଗୀନ ହୋଇଥିବା ବେଳେ ନିମ୍ନ ଆୟବର୍ଗର ଲୋକଙ୍କ ଲାଗି ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ବାଣିଜ୍ୟ ମନ୍ତ୍ରୀ ଶେଷାନ ସେମାସିଙ୍ଘେ । ପ୍ରାୟ ୩୩ ଲକ୍ଷ ପରିବାରକୁ ମେ’ ମାସରୁ ଜୁଲାଇ ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ। ଗୁରୁତର ରୋଗୀ, ବୟସ୍କ, କିଡନୀ ରୋଗୀ, ଭିନ୍ନକ୍ଷମଙ୍କୁ ମଧ୍ୟ ସହାୟତା ଦିଆଯିବ । ବିଶ୍ବବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସହାୟତାକୁ ଡିବିଟି ଜରିଆରେ ଆକାଉଣ୍ଟକୁ ଦିଆଯିବ । ୬୦୦ ନିୟୁତ ଡଲାରରୁ ୩୦୦ ନିୟୁତ ଡଲାର ଡିବିଟି ଜରିଆରେ ଗରିବ ଲୋକଙ୍କୁ ପ୍ରଦାନ କରାଯିବ । ଅବଶିଷ୍ଟ ଅର୍ଥରେ ଜରୁରୀ ସାମଗ୍ରୀ କିଣାଯିବ ।

ସେହିପରି ମେଡିସିନ, ଖାଦ୍ୟ, ଇନ୍ଧନ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଲାଗି ଚୀନ ୩୦୦ ନିୟୁତ ୟୁଆନ ସହାୟତା କରିବାକୁ ସମ୍ମତି ପ୍ରଦାନ କରିଛି ବୋଲି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ । ତୁରନ୍ତ ସମସ୍ୟାର ସମାଧାନ ଲାଗି ଶ୍ରୀଲଙ୍କା ୪ ବିଲିୟନ ଡଲାର ଆବଶ୍ୟକ କରୁଛି । ସେପଟେ ଶ୍ରୀଲଙ୍କାକୁ ୫୦୦ ନିୟୁତ ଡଲାର ଅତିରିକ୍ତ ଋଣ ସହାୟତା ସମ୍ପର୍କରେ ସୂଚନା ଦେଇଛନ୍ତି ଭାରତୀୟ ଉଚ୍ଚାୟୁକ୍ତ । ପୂର୍ବରୁ ଗତ ସୋମବାର ଭାରତ ଘୋଷଣା କରିଥିଲା ୨୦୦ ନିୟୁତ ଡଲାର ଋଣ ସହାୟତା । ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କାକୁ ଭାରତ ୪ ଲକ୍ଷ ମେଟ୍ରିକ ଟନ୍ ଇନ୍ଧନ ଯୋଗାଇ ସାରିଛି ।