ଜୟ ଶାହଙ୍କୁ ନେଇ ପୂବର୍ତନ କ୍ରିକେଟରଙ୍କ ବୟାନ, କ୍ଷମା ମାଗିଲେ ଶ୍ରୀଲଙ୍କା ସରକାର

ନୂଆଦିଲ୍ଲୀ: କ୍ରିକେଟ୍ ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନକୁ ନେଇ ଶ୍ରୀଲଙ୍କାରେ ଉତ୍ତେଜନା ଦେଖାଦେଇଛି। ଦଳର ନିରାଶାଜନକ ପ୍ରଦର୍ଶନ ପାଇଁ ବିଶ୍ୱକପ ମଧ୍ୟଭାଗରେ ହିଁ ଶ୍ରୀଲଙ୍କାର କ୍ରିକେଟ୍ ବୋର୍ଡକୁ ବରଖାସ୍ତ କରିଦେଇଥିଲେ ଶ୍ରୀଲଙ୍କା ସରକାର।

ଏଭଳି ଭାବେ ସରକାରଙ୍କ ରାଜନୈତିକ ହସ୍ତକ୍ଷେପ କାରଣରୁ ଆଇସିସି ମଧ୍ୟ ଶ୍ରୀଲଙ୍କା କ୍ରିକେଟ୍ କୁ ନିଲମ୍ବିତ କରିଦେଇଥିଲା। ଅନ୍ୟପଟେ ସିଂହଳି ଦଳର ନିରାଶଜନକ ପ୍ରଦର୍ଶନ ପାଇଁ ବିସିସିଆଇ ସଚିବ ଜୟ ଶାହଙ୍କୁ ଦାୟୀ କରିଛନ୍ତି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗା । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଅର୍ଜୁନ ରଣତୁଙ୍ଗା କହିଥିଲେ ଯେ, ଜୟ ଶାହ ଶ୍ରୀଲଙ୍କା କ୍ରିକେଟ୍ ଚଳାଉଛନ୍ତି। ତାଙ୍କ ପାଇଁ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ବର୍ବାଦ ହୋଇଯାଇଛି। ଭାରତରେ ଜଣେ ଲୋକ ଶ୍ରୀଲଙ୍କା କ୍ରିକେଟ୍ କୁ ବର୍ବାଦ କରୁଛି । ସେ କେବଳ ନିଜ ବାପାଙ୍କ ପାଇଁ ଶକ୍ତିଶାଳି, କାରଣ ସିଏ ଭାରତର ଗୃହମନ୍ତ୍ରୀ ।

ଯଦିଓ ପରବର୍ତ୍ତୀ ସମୟରେ ଶ୍ରୀଲଙ୍କା ସରକାର ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କ ମନ୍ତବ୍ୟକୁ ନେଇ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ସଭାପତି ତଥା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହାଙ୍କୁ କ୍ଷମା ମାଗିଛନ୍ତି।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ ଶ୍ରୀଲଙ୍କାର ସଂସଦ ଅଧିବେଶନରେ ଶ୍ରୀଲଙ୍କା ସରକାରଙ୍କ ଉଭୟ ମନ୍ତ୍ରୀ ହରିନ୍ ଫର୍ନାଣ୍ଡୋ ଏବଂ କାଞ୍ଚନା ୱିଜେସେକେରା ଏହି ଘଟଣାରେ ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ନିଜର ପ୍ରଦର୍ଶନ ପାଇଁ ଆମେ ଅନ୍ୟ ସଂସ୍ଥା ଉପରକୁ ଆଙ୍ଗୁଠି ଉଠାଇପାରିବୁ ନାହିଁ।

ତେବେ ଶ୍ରୀଲଙ୍କା କ୍ରିକେଟ୍ ଉପରେ ଆଇସିସି ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇବା ପାଇଁ ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ, ବିସିସିଆଇ ସଚିବ ଜୟ ଶାହାଙ୍କ ସହ ଯୋଗାଯୋଗ ଆରମ୍ଭ କରିଛନ୍ତି।