ଶ୍ରୀଲଙ୍କାକୁ ଖୋଳ କରିଦେଲେ ରାଷ୍ଟ୍ରପତିଙ୍କ ପରିବାର, ଏବେ ଦେଶରେ ଖାଦ୍ୟ ସଙ୍କଟ

କଲମ୍ବୋ: ଶ୍ରୀଲଙ୍କାରେ ଅଧିକ ଘନୀଭୂତ ହେଲା ସଙ୍କଟ । ରାଜଧାନୀ କଲମ୍ବୋସ୍ଥିତ ରାଷ୍ଟ୍ରପତି ଭବନ ନିକଟରେ ହଜାର ହଜାର ଲୋକ କରିଛନ୍ତି ବିକ୍ଷୋଭ । ଦିନକୁ ଦିନ ଲୋକଙ୍କ ଦୁର୍ଦ୍ଦଶା ବଢୁଥିବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅକାଶଛୁଆଁ ଦରବୃଦ୍ଧି ପ୍ରତିବାଦରେ ତାତିଛନ୍ତି ଜନତା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ଦାବି କରିବା ସହ ତୁରନ୍ତ ସମସ୍ୟାର ସମାଧାନ ଲାଗି ସେମାନେ ଦାବି କରିଛନ୍ତି । ଆନ୍ଦଳୋନକାରୀଙ୍କୁ ଦମନ କରିବା ଲାଗି ସଂସଦୀୟ ପୋଲିସ ୟୁନିଟ୍ ଓ ସ୍ବତନ୍ତ୍ର ଟାସ୍କ ଫୋର୍ସ ମୁତୟନ କରାଯାଇଥିବା ବେଳେ, ସେମାନଙ୍କୁ ଘଉଡାଇବା ଲାଗି ଲୁହବୁହା ଗ୍ୟାସ ଓ ଜଳତୋପ ମାଡ କରାଯାଇଥିଲା ।

ଉତ୍ତ୍ୟକ୍ତ ଲୋକେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଲିସ ବସ୍ ପୋଡି ଦେଇଛନ୍ତି । କେବଳ କଲମ୍ବୋ ନୁହେଁ, ସାରା ଦେଶର ବିଭିନ୍ନ ସ୍ଥାନରେ ଜୋର ଧରିଛି ଆନ୍ଦୋଳନ । ଲୋକମାନେ ରାଜରାସ୍ତାକୁ ଓହ୍ଲାଇବା ସହ ରାସ୍ତା ଅବରୋଧ କରିଛନ୍ତି । ଦେଶରେ କିଛି ଦିନ ଧରି ଅଦ୍ଭୁତପୂର୍ବ ସଂକଟ ଦେଖା ଦେଇଥିବା ବେଳେ ଖାଦ୍ୟପଦାର୍ଥ, ଜରୁରୀ ସାମଗ୍ରୀ, ମେଡିସିନ, ଇନ୍ଧନ, ଗ୍ୟାସର ବ୍ୟାପକ ଅଭାବ ଦେଖାଦେଇଛି । ବିଜୁଳି ସଂକଟର ମୁକାବିଲା ଲାଗି ଦୈନିକ ୧୩ ଘଣ୍ଟା ବିଦ୍ୟୁତକାଟ୍ କରାଯାଉଛି । ଗତକାଲିଠାରୁ ଦେଶରେ ଡିଜେଲ ଉପଲବ୍ଧ ହେଉନଥିବାରୁ ସ୍ଥିତି ଅତି ସାଂଘାତିକ ହୋଇଛି । ବସସେବା ଓ ପରିବହନ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସ୍ଥିତି ଏପରି ହୋଇଛି ଯେ ଅତିଜରୁରୀ ସେବା ବି ସମ୍ଭବ ହୋଇପାରୁନାହିଁ ।

ଶ୍ରୀଲଙ୍କା ଷ୍ଟକ ମାର୍କେଟର ସ୍ଥିତି ମଧ୍ୟ ଜଟିଳ ହୋଇଛି । ଦିନରେ ମାତ୍ର ଘଣ୍ଟାଏ ଦୁଇ ଘଣ୍ଟା ଟ୍ରେଡିଂ କରାଯାଉଛି । ସନ୍ଧ୍ୟା ହୋଇଯିବା ମାତ୍ରେ ଷ୍ଟ୍ରିଟଲାଇଟକୁ ଅଫ୍ କରି ଦିଆଯାଉଥିବାରୁ ଜନଜୀବନ ବାଧାପ୍ରାପ୍ତ ହେଉଛି । ରାଷ୍ଟ୍ରପତିଙ୍କ ପରିବାର ହାତରେ ପ୍ରାୟତଃ କ୍ଷମତା ଠୁଳ ହୋଇଥିବାରୁ ଲୋକେ ଅଧିକ କ୍ଷୁବ୍ଧ ହୋଇଛନ୍ତି । ରାଷ୍ଟ୍ରପତି ଗୋଟାବାୟାଙ୍କ ବଡ଼ଭାଇ ମହିନ୍ଦା ରାଜପକ୍ଷ ଦେଶର ପ୍ରଧାନମନ୍ତ୍ରୀ ଥିବା ବେଳେ ସାନଭାଇ ବାସିଲ ରାଜପକ୍ଷ ଅର୍ଥମନ୍ତ୍ରୀ ଅଛନ୍ତି ।

ସେହିପରି ଗୋଟାବାୟାଙ୍କ ଆଉ ଜଣେ ବଡ଼ଭାଇ ଚମଲ ରାଜପକ୍ଷ କୃଷିମନ୍ତ୍ରୀ ଥିବା ବେଳେ ପୁତୁରା ନମଲ ରାଜପକ୍ଷ କ୍ରୀଡାମନ୍ତ୍ରୀ ଅଛନ୍ତି । ଦେଶର ବୈଦେଶିକ ଋଣଭାର ୫୧ ବିଲିୟନ ଡଲାର ହୋଇଥିବାରୁ ଗତ ୨୦୨୦ରେ ଆମଦାନି ଉପରେ କଟକଣା ଜାରି କରିବା ନେଇ ସରକାରଙ୍କ ପଦକ୍ଷେପ ଏହି ଅଭୁତପୂର୍ବ ସଙ୍କଟର ମୂଳ କାରଣ ହୋଇଥିଲା । ସ୍ଥିତିର ମୁକାବିଲା ଲାଗି ସରକାର ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ଭାରତ ଓ ଚୀନର ସହାୟତା ଲୋଡିଛନ୍ତି ।