ଦେବାଳିଆରୁ ବଞ୍ଚିବା ଲାଗି ସୁନା ବିକୁଛି ଶ୍ରୀଲଙ୍କା, ଦେଲା ଭାରତର ଉଦାହରଣ

Sri Lanka Economic Crisis Country Selling Gold To Avoid Bankruptcy

ନୂଆଦିଲ୍ଲୀ: ସୁନା ବିକୁଛି ଶ୍ରୀଲଙ୍କା । ନିଜକୁ ଦେବାଳିଆ ହେବାରୁ ବଞ୍ଚାଇବା ଲାଗି ଶ୍ରୀଲଙ୍କା ସୁନା ବିକ୍ରି କରୁଛି । ସୁନା ବିକ୍ରି କରି ଭୁଶୁଡ଼ି ପଡ଼ୁଥିବା ଅର୍ଥ ବ୍ୟବସ୍ଥାକୁ ଶ୍ରୀଲଙ୍କା ସାହାରା ଦେଉଛି । ଏନେଇ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ କହିଛି, ବିଦେଶୀ ମୁଦ୍ରା ଭଣ୍ଡାର ସରି ଆସୁଥିବାରୁ ସଂରକ୍ଷିତ ସୁନାର ଏକ ଅଂଶ ବିକ୍ରି କରାଯାଇଛି । ନିକଟରେ ଶ୍ରୀଲଙ୍କାର ପ୍ରମୁଖ ଅର୍ଥଶାସ୍ତ୍ରୀ ତଥା କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ଡା. ଡବ୍ଲ୍ୟୁ ଏ ବିଜେବର୍ଦ୍ଧନ ଏକ ଟ୍ୱିଟ୍ କରିଥିଲେ । ଯେଉଁଥିରେ କେନ୍ଦ୍ରୀୟ ବ୍ୟାଙ୍କରେ ସଂରକ୍ଷିତ ସୁନା କମିଥିବା ସେ ଲେଖିଥିଲେ ।

କେନ୍ଦ୍ରୀୟ ବ୍ୟାଙ୍କର ସଂରକ୍ଷିତ ସୁନା ୩୮.୨ କୋଟି ଡଲାରରୁ ହ୍ରାସ ପାଇ ୧୭.୫ କୋଟି ଡଲାରରେ ପହଞ୍ଚିଥିବା ସେ ସୂଚନା ଦେଇଥିଲେ । ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ନିବାର୍ଡ କୈବ୍ରାଲ କହିଛନ୍ତି, ୨୦୨୦ ଡିସେମ୍ବରରେ ଶ୍ରୀଲଙ୍କା ବିଦେଶୀ ମୁଦ୍ରା ବୃଦ୍ଧି ଲାଗି ସୁନା ଭଣ୍ଡାରର ଏକ ଅଂଶ ବିକ୍ରି କରିଥିଲା । ଚୀନ୍ ମୁଦ୍ରା ସ୍ୱାପ୍ ପରେ ସଂରକ୍ଷିତ ସୁନା ପରିମାଣକୁ ବଢ଼ାଇ ଦିଆ ଯାଇଥିଲା ।

ଏଥିସହ ପଢ଼ନ୍ତୁ: ବୟକଟ୍ ଚୀନ୍ ନାରା ବିଫଳ, ବଜାରରେ ବଢ଼ୁଛି ଚୀନ୍ ସ୍ମାର୍ଟଫୋନର ଭାଉ

ତାଙ୍କ ଅନୁସାରେ, ବିଦେଶୀ ମୁଦ୍ରା କମିଲେ ସଂରକ୍ଷିତ ସୁନା କମାଇ ଦିଆଯାଏ । ଆଉ ବିଦେଶୀ ମୁଦ୍ରା ବଢ଼ିଲେ ସୁନା ଭଣ୍ଡାର ବଢ଼େ । ଯେତେବେଳେ ସଂରକ୍ଷଣ ସ୍ତର ୫ ଅରବ ଆମେରିକୀୟ ଡଲାରରୁ ଅଧିକ ହୋଇଯିବ ତ କେନ୍ଦ୍ରୀୟ ବ୍ୟାଙ୍କ ସୁନା ହୋଲ୍ଡିଂ ବଢ଼ାଇବା ନେଇ ବିଚାର କରିବ ।

ଡା. ଡବ୍ଲ୍ୟୁ ଏ ବିଜେବର୍ଦ୍ଧନ ଶ୍ରୀଲଙ୍କା ସ୍ଥିତିର ତୁଳନା ୧୯୯୧ର ଭାରତ ସହ କରିଛନ୍ତି । ସେ କହିଛନ୍ତି ଭାରତ ନିଜକୁ ଦେବାଳିଆରୁ ବଞ୍ଚାଇବା ଲାଗି ୧୯୯୧ରେ ସୁନାକୁ ବନ୍ଧକ ରଖିଥିଲା ।  ଏବେ ଶ୍ରୀଲଙ୍କାର ସ୍ଥିତି ୧୯୯୧ର ଭାରତ ଭଳି । ତେଣୁ ସୁନା ବିକ୍ରି କରାଯାଉଛି ।

Leave a Reply