ସଂକଟରେ ଶ୍ରୀଲଙ୍କା, ଭାରତର ଏହି ରାଜ୍ୟରେ ବଢ଼ୁଛି ବ୍ୟବସାୟ

Sri Lanka Crisis Textile Hub Of Tamilnadu And Tea Estates Of Assam

ନୂଆଦିଲ୍ଲୀ: ଜଣେ କ୍ଷତି ସହିଲେ, ଆଉ କିଛି ଜଣ ଲାଭ ପାଇବେ । ଦେଶ ଦେଶ କ୍ଷେତ୍ରରେ ମଧ୍ୟ ଏହା ଘଟୁଛି । ଏବେ ଆମ ପଡ଼ୋଶୀ ଶ୍ରୀଲଙ୍କା ଏବେ ସ୍ୱାଧୀନତା ପରଠାରୁ ସବୁଠୁ ବଡ଼ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି । ଖାଲି ଆର୍ଥିକ ନୁହେଁ ରାଜନୈତିକ ଓ ସାମାଜିକ ସଂକଟ ଘନେଇବାରେ ଲାଗିଛି । ଶ୍ରୀଲଙ୍କାର ଲୋକ ଚିନି, ଚାଉଳ, କ୍ଷୀରରୁ ନେଇ ଡିଜେଲ, ପେଟ୍ରୋଲ ଓ ଗ୍ୟାସ୍ ଭଳି ଜରୁରୀ ସାମଗ୍ରୀର ଅଭାବକୁ ସାମ୍ନା କରୁଛନ୍ତି ।

ଅନ୍ୟପଟେ ଶ୍ରୀଲଙ୍କାର ଏ ସଂକଟ ଭାରତକୁ କିଛିଟା କ୍ଷେତ୍ରରେ ଫାଇଦା ଦେଇଛି । ବିଶେଷକରି ତାମିଲନାଡ଼ୁର ତିରୁପୁର ସ୍ଥିତ ଟେକ୍ସଟାଇଲ୍ ହବ ଏବଂ ଦକ୍ଷିଣ ଭାରତ ଓ ଆସାମର ଚା’ ବଗିଚା ଶ୍ରୀଲଙ୍କା ସଂକଟ ଯୋଗୁ ବେଶ୍ ଲାଭାନ୍ୱିତ ହୋଇଛନ୍ତି ।

 Sri Lanka Crisis Textile Hub Of Tamilnadu And Tea Estates Of Assam

ଶ୍ରୀଲଙ୍କା ସରକାରଙ୍କ ତଥ୍ୟ ଅନୁସାରେ, ବିଶ୍ୱ ବାଣିଜ୍ୟରେ କପଡ଼ା ଓ ଚା ରପ୍ତାନୀର ବଡ଼ ଅଂଶ ରହିଛି । ପର୍ଯ୍ୟଟନ କ୍ଷେତ୍ର ପରେ ଶ୍ରୀଲଙ୍କା ଜିଡିପିରେ କପଡ଼ା ଓ ଚା ରପ୍ତାନୀ ଅଧିକାନ ଯୋଗଦାନ ଦେଇଥାଏ । ଏବେ ଶ୍ରୀଲଙ୍କା ସଂକଟର ସାମ୍ନା କରୁଥିବା ବେଳେ ପର୍ଯ୍ୟଟନ ସହ ରପ୍ତାନୀ ବହୁଳ ପରିମାଣରେ ପ୍ରଭାବିତ ହୋଇଛି । ଯାହାର ଫାଇଦା ଭାରତକୁ ମିଳୁଛି । ପୂର୍ବରୁ ଶ୍ରୀଲଙ୍କା କପଡ଼ା ଓ ଚା ରପ୍ତାନୀ କରୁଥିବା ବେଳେ ଏବେ ଭାରତର ଚାହିଦା ବଢ଼ିଛି ।

ରିପୋର୍ଟ ଅନୁସାରେ, ଶ୍ରୀଲଙ୍କାରେ ଘନେଇଥିବା ସଂକଟ ପାଇଁ କପଡ଼ା ଶିଳ୍ପ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଏପରିକି ଶ୍ରୀଲଙ୍କା ସଂକଟ ପାଇଁ ବଡ଼ ବଡ଼ ବ୍ରାଣ୍ଡ ଅର୍ଡର ବାତିଲ୍ କରିବା ସହ ତିରୁପୁର ଟେକ୍ସଟାଇଲକୁ ନୂଆ ଅର୍ଡର ଦେଇଛନ୍ତି । ଶ୍ରୀଲଙ୍କା ସାଧାରଣତଃ ବାର୍ଷିକ ୫.୪୨ ବିଲିଅନ୍ ଡଲାର କପଡ଼ା ରପ୍ତାନୀ କରିଥାଏ । ସେହିଭଳି ସଂକଟ ଯୋଗୁଁ ଶ୍ରୀଲଙ୍କା ଚା ରପ୍ତାନୀ ହ୍ରାସ ପାଇଥିବାରୁ ଭାରତୀୟ ଚାର ଚାହିଦା ବଢ଼ିଛି ।

 Sri Lanka Crisis Textile Hub Of Tamilnadu And Tea Estates Of Assam

ଶ୍ରୀଲଙ୍କାରେ ଏବେ ଦୈନିକ ୧୦ର ୧୨ ଘଣ୍ଟା ବିଦ୍ୟୁତ୍ କାଟ ହେଉଛି । ଜେନେରେଟର ଚଲାଇବା ଲାଗି ତେଲ ବି ମିଳୁନି । ଫଳରେ ଟି ପ୍ରୋସେସିଂ ୟୁନିଟରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଏପରିକି ବ୍ଲାକ୍ ଟି ପତ୍ର ନଷ୍ଟ ହେବାରେ ଲାଗିଛି । ଶ୍ରୀଲଙ୍କା ଅର୍ଥୋଡକ୍ସ ଟି ଉତ୍ପାଦନ କରି ଇରାକ, ଇରାନ, ୟୁଏଇ, ଲିବିଆ, ଋଷ ଓ ତୁର୍କୀ ଭଳି ଦେଶକୁ ରପ୍ତାନୀ କରିଥାଏ । ଆଉ ଭାରତ ମୁଖ୍ୟତଃ ଇରାନ ଓ ଋଷ ବଜାରକୁ ରପ୍ତାନୀ କରେ ।