ଶ୍ରୀଲଙ୍କା ସଙ୍କଟ: ଇସ୍ତଫା ଦେଲେ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଗଭର୍ଣ୍ଣର

କଲମ୍ବୋ: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଜାରି ରହିଛଇ ଆର୍ଥିକ ସଙ୍କଟ । ଦେଶରେ ଆପାତକାଳୀନ ସ୍ଥିତି ଏବଂ କର୍ଫ୍ୟୁ ଜାରି ରହିଥିବା ବେଳେ ସେଈ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଗଭର୍ଣ୍ଣର ଅଜିତ୍‌ ନିବାର୍ଡ଼ କବରାଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।  ଯାହାର ସୂଚନା ସେ ଟ୍ୱିଟରରେ ଦେଇଛନ୍ତି । ତେବେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବାରୁ ସେ ମଧ୍ୟ ଏହିଭଳି ନିଷ୍ପତ୍ତି ନେଇଛନ୍ତି । ଏହି ମଧ୍ୟରେ  ଆଜି ଶ୍ରୀଲଙ୍କାର ନୂଆ କ୍ୟାବିନେଟ୍‌  ଶପଥ ନେବାର ସମ୍ଭାବନା ରହିଛି ।

ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ସୋମବାର ଏକ ଯୁକ୍ତ ସରକାରରେ ସାମିଲ ହେବାପାଇଁ ବିରୋଧୀଙ୍କୁ ଆମନ୍ତ୍ରିତ କରିଛନ୍ତି । ରାଷ୍ଟ୍ରପତି ସଂସଦରେ ସମସ୍ତ ରାଜନୈତିକ ଦଳଙ୍କୁ କ୍ୟାବିନେଟ୍‌ ପଦ ସ୍ୱୀକାର ପାଇଁ ଏବଂ ରାଷ୍ଟ୍ରୀୟ ସଙ୍କଟର ସମାଧାନର ପ୍ରୟାସରେ  ସାମିଲ ହେବାକୁ ଆମନ୍ତ୍ରିତ କରୁଛୁ ।

ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ସୋମବାର ତାଙ୍କ ଭାଇ ଏବଂ ଅର୍ଥମନ୍ତ୍ରୀ ବେସିଲ ରାଜପକ୍ଷେଙ୍କୁ ପଦରୁ ହଟାଇ ଦେଇଛନ୍ତି । ବେସିଲ ନିକଟରେ ଶ୍ରୀଲଙ୍କାଙ୍କୁ ଆର୍ଥିକ ସଙ୍କଟରେ ସହଯୋଗ କରିବା ପାଇଁ ଭାରତ ସହିତ କଥାବାର୍ତ୍ତା କରିଥିଲେ । ତାଙ୍କ ସ୍ଥାନରେ ଅଲି ସାବରୀଙ୍କୁ ନିଯୁକ୍ତ କରାଯାଇଛି । ସେ ରବିବାର ପର୍ଯ୍ୟନ୍ତ ଆଇନ୍‌ ମନ୍ତ୍ରୀ ଭାବରେ ଦାୟିତ୍ୱଭାର ତୁଲାଇଥିଲେ । ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଏବଂ ତାଙ୍କ ଭାଇ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କୁ ବାଦ୍‌ ଦେଲେ କ୍ୟାବିନେଟର ସମସ୍ତ ୨୬ ମନ୍ତ୍ରୀ ଗତକାଲି ବିଳମ୍ବିତ ରାତିରେ ଏକ ବୈଠକ ପରେ ଇସ୍ତଫା ଦେଇଥିଲେ ।