ସଙ୍କଟରେ ଶ୍ରୀଲଙ୍କା: ସର୍ବଦଳୀୟ ସରକାର ଗଠନ ପାଇଁ ରାଷ୍ଟ୍ରପତିଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ବିରୋଧୀ

କଲମ୍ବୋ: ଉଗ୍ର ହେବାରେ ଲାଗିଛି ଶ୍ରୀଲଙ୍କା ସଙ୍କଟ । ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଯୋଗୁ ସାରା ଦେଶରେ ଜାରି ରହିଛି ବିକ୍ଷୋଭ । ସରକାରଙ୍କ ନୀତିକୁ ବିରୋଧ କରି ରାଜଧାନୀ କଲମ୍ବୋ ସମେତ ଅନ୍ୟାନ୍ୟ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଜନତା । ସ୍ଥିତିର ମୁକାବିଲା କରି ନପାରି ଇସ୍ତଫା ଦେଇଛନ୍ତି ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ଅଜିତ ନିର୍ଭାଦ କାବ୍ରାଲ । ଦୈନିକ ୧୩ ଘଣ୍ଟା ବିଜୁଳିକାଟ ଯୋଗୁ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।

ତେଣେ ଆନ୍ଦୋଳନକୁ ଦମନ କରିବା ଲାଗି ସରକାର ହ୍ବାଟସଆପ, ଫେସବୁକ, ଟ୍ବିଟର, ୟୁଟ୍ୟୁବ, ଇନଷ୍ଟାଗ୍ରାମକୁ ଆଦି ସୋସିଆଲ ମିଡିଆ ସାଇଟକୁ ବ୍ଲକ କରିଛନ୍ତି । ଶ୍ରୀଲଙ୍କା ଷ୍ଟକ ଏକ୍ସଚେଞ୍ଜ କାରବାର ବ୍ୟାପକ ହ୍ରାସ ପାଇଛି । ସର୍ବଦଳୀୟ ସରକାର ଗଠନ ଲାଗି ରାଷ୍ଟ୍ରପତିଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ବିରୋଧୀ ଦଳ ।

ଅନ୍ୟପଟେ, ଶ୍ରୀଲଙ୍କା ମୁଦ୍ରା ଡଲାର ତୁଳନାରେ ଅତ୍ୟନ୍ତ ଦୁର୍ବଳ ହୋଇ ପଡିଛି । ସାରା ଦେଶରେ ୧୨ରୁ ୧୩ ଘଣ୍ଟା ବିଦ୍ୟୁତ୍ କାଟ୍ ହେଉଛି । ଚାଉଳ କିଲୋ ୫ ଶହ ଟଙ୍କାରେ ପହଂଚିଛି । ଚିନି କିଲୋ ୨୯୦ ଟଙ୍କାରେ ମିଳୁଛି । ଶହେ ଟଙ୍କା ଦେଲେ ମିଳୁଛି ଗୋଟେ କପ୍ ଚା’ । ପେଟ୍ରୋଲ, ଡିଜେଲ୍ ମିଳୁନି । ଏଲପିଜି ସିଲିଣ୍ଡର ଦାମ୍ ୪ ହଜାର ୧୧୯ ଟଙ୍କା ।

ସାରା ଦେଶରେ ରାଷ୍ଟ୍ରପତି ରାଜପକ୍ଷେ ଏମରଜେନସୀ ଲାଗୁ କରିଛନ୍ତି । ଶ୍ରୀଲଙ୍କାର ଏହି ସ୍ଥିତି ପାଇଁ ଦାୟୀ – ସରକାରୀ ଅର୍ଥର କୁପରିଚାଳନା ଏବଂ ଟିକସ ଛାଡ ଭଳି କିଛି ନିଷ୍ପତ୍ତି । ସରକାରଙ୍କ କିଛି ମାଗଣା ସ୍କିମ୍ ଏବେ ବୁମେରାଂ ପାଲଟିଛି ।