ଆଜି ଦଶମୀରେ ଶ୍ରୀଜୀଉଙ୍କର ଚକାବିଜେ ନୀତି

ପୁରୀ : ସୁସ୍ଥ ହେଉଛନ୍ତି ମହାପ୍ରଭୁ । ସ୍ନାନ ପୂର୍ଣ୍ଣିମାଠାରୁ ଅତ୍ଯଧିକ ଜ୍ବରରେ ପୀଡ଼ିତ ହେବା ପରେ ଶ୍ରୀମନ୍ଦିର ଚନ୍ଦନ ଅର୍ଗଳି ନିକଟସ୍ଥ ଅଣସର ତାଟିରେ ଅନ୍ଧାର ଭିତରେ ଚାଲିଛି ଗୁପ୍ତ ସେବା । ଜ୍ବରରୁ ସାମାନ୍ଯ ସୁସ୍ଥ ହୋଇଥିବାରୁ ଆଜି ଦଶମୀ ତିଥୀରେ ଶ୍ରୀଜୀଉ ମାନଙ୍କର ଚକାବିଜେ ନୀତି ଅନୁଷ୍ଠିତ ହେବ । ଜ୍ବରରୁ ସମ୍ପୂର୍ଣ୍ଣ ଉପଷମ ପାଇଁ ଶ୍ରୀବୈଦ୍ୟଙ୍କ ଦ୍ୱାରା ସ୍ୱତନ୍ତ୍ର ଓ ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ଦଶମୂଳ ମୋଦକ ଲାଗି କରାଯିବ । ବିଭିନ୍ନ ଚେରମୂଳିରେ ଦଶମୂଳାରିଷ୍ଟ ପ୍ରସ୍ତୁତ କରିଛନ୍ତି ଶ୍ରୀବୈଦ୍ଯ ।

ପାରମ୍ପରିକ ଭାବେ ରାଜବୈଦ୍ୟଙ୍କ ଘରେ ବିଭିନ୍ନ ଚେରମୂଳି ମିଶାଇ ଏହାକୁ ରନ୍ଧନ କରି ଦିବ୍ଯ ଔଷଧ ପ୍ରସ୍ତୁତ କରାଯାଇଛି । ଶ୍ରୀମନ୍ଦିର ଗାରଦ ପ୍ରଦାନ କରାଯିବା ପରେ ଏକାଦଶୀ ତିଥିରେ ଦଶମୂଳ ଔଷଧ ଲାଗି ହେଲେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ । ପ୍ରଥମେ ଚନ୍ଦନ ଯାତ୍ରାରେ ନରେନ୍ଦ୍ରରେ ଚାପ ଓ ପରେ ସ୍ନାନ ପୂର୍ଣ୍ଣିମାରେ ଅତ୍ଯଧିକ ସ୍ନାନ ହେତୁ ଜ୍ବରରେ ପଡ଼ିଛନ୍ତି ଦାରୁଦିଅଁ । ଖାଦ୍ଯ ରୁଚୁ ନଥିବାରୁ ଚକଟା ଓ ପଣା ଦେଇ ଗୁପ୍ତ ସେବାରେ ଲାଗିଛନ୍ତି ଇତାପତି ସେବାୟତ ।

ଚତୁର୍ଥୀରେ ଓଦାଲୁଗା ଓଲାଗି ପରେ ଶ୍ରୀଅଙ୍ଗରୁ ପୀଡ଼ା ଉପଷମ ପାଇଁ ପଞ୍ଚମୀ ଠାରୁ ସପ୍ତମୀ ପର୍ଯ୍ୟନ୍ତ ବଡ଼ ଓଡ଼ିଆ ମଠଦ୍ବାର ପ୍ରସ୍ତୁତ ଫୁଲୁରୀ ତେଲ ଲାଗି କରାଯାଇଥିଲା । ଏହାପରେ ସୁଦ୍ଧ ସୁଆରଙ୍କ ଦ୍ବାରା ପ୍ରସ୍ତୁତ ଓଷୁଅ ଲେପନ ପରେ ଦଶମୂଳ ମୋଦକ ଖାଇ ସୁସ୍ଥ ହେବେ ଶ୍ରୀବିଗ୍ରହ । ଏହାପରେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ରାଜପ୍ରସାଦ ବିଜେ କରିବେ ସେବାୟତ । ପ୍ରଭୁ ସୁସ୍ଥ ହେବା ଖବର ପାଇବା ପରେ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ଗଜପତି ମହାରାଜା ।