ୟୁକେର ମାଞ୍ଚେଷ୍ଟରରେ ଶ୍ରୀଜଗନ୍ନାଥଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ
1 min read
ମାଞ୍ଚେଷ୍ଟର: ୟୁନାଇଟେଡ୍ କିଙ୍ଗ୍ଡମ୍ (ୟୁକେ)ର ଦ୍ୱିତୀୟ ବୃହତ୍ତମ ନଗରୀ ମାଞ୍ଚେଷ୍ଟରଠାରେ ଶନିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବହୁ ପ୍ରତୀକ୍ଷିତ ଏହି ପ୍ରତିମା ସ୍ଥାପନା ଉତ୍ସବକୁ ଦେଖିବା ପାଇଁ ମନ୍ଦିର ପରିସରରେ ପାଖାପାଖି ୫୦୦ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ। ସକାଳୁ ପୂଜାର୍ଚ୍ଚନା, ଅଧିବାଶ, କଳସ ଯାତ୍ରା, ଅଭିଷେକ, ମୂର୍ତ୍ତି ସ୍ଥାପନା ଓ ପ୍ରାଣ ପ୍ରତିଷ୍ଠା ଆଦି ଧାର୍ମିକ ନୀତି, ବିଧି ମୁତାବକ ଅତ୍ୟନ୍ତ ଭକ୍ତିପୂତ ପରିବେଶ ମଧ୍ୟରେ ସମାପନ କରାଯାଇଥିଲା।
ଏହି ଉପଲକ୍ଷେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ କରୁଥିବା ୨୩୧ନମ୍ବର ଉଇଦିଂଟନ୍ ରୋଡ୍ସ୍ଥିତ ଗୀତା ଭବନ ହିନ୍ଦୁ ମନ୍ଦିରକୁ ରଙ୍ଗବେରଙ୍ଗର କାଗଜ ଓ କପଡ଼ାରେ ଭବ୍ୟଢଙ୍ଗରେ ସଜାଯାଇଥିଲା । ଅପରାହ୍ଣ ୧୨.୪୫ ମିନିଟ୍ରୁ ୧.୪୫ ମିନିଟ୍ ମଧ୍ୟରେ ନାମଯଜ୍ଞ, ହୋମ, ଭୋଗ,
ମହା ଆଳତି ଓ ପୁଷ୍ପାଞ୍ଜଳି ଆଦି ଧାର୍ମିକ କାର୍ଯ୍ୟକ୍ରମ ‘ଗ୍ଲାସ୍ ଗୋ’ ହିନ୍ଦୁ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ମେଦିନୀ ପତି ମିଶ୍ର ଏବଂ ଗୀତା ଭବନର
ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ଶ୍ୟାମସୁନ୍ଦର ଶର୍ମାଙ୍କର ସଂଯୁକ୍ତ ତତ୍ତ୍ୱାବଧାନରେ ସମ୍ପନ୍ନ କରାଯାଇଥିଲା। ଅପରାହ୍ଣ ୨.୩୦ମିନିଟ୍ ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରୋଷଣି ସହିତ ଗୀତା ଭବନ ପରିସରରେ ଥିବା ସୁସଜ୍ଜିତ ରଥକୁ ନିଆଯାଇଥିଲା।
ବିଗ୍ରହ ସ୍ଥାପନା ଉତ୍ରବରେ ଡକ୍ଟର ଶିବ ସେନାପତି ପାରମ୍ପରିକ ଛେରା ପହଁରା କାର୍ଯ୍ୟ ତୁଲାଇଥିଲେ। ଏହା ପରେ ଭଜନ, କୀର୍ତ୍ତନର ସୁମଧୂର ମୁର୍ଚ୍ଛନା ମଧ୍ୟରେ ରଥଟିକୁ ଉଇଦିଂଟନ୍, ଉଇଲ୍ବ୍ରାହାମ୍, ବାଣ୍ଟିଂହମ୍ ଏବଂ ଆଲେକ୍ଜାଣ୍ଡ୍ରା ସାଉଥ୍ ଆଦି ରାସ୍ତାରେ ଦୁଇ ମାଇଲ୍ ପରିମିତ ଆଲେକ୍ଜାଣ୍ଡ୍ରା ପାର୍କ ପର୍ଯ୍ୟନ୍ତ ଟଣାଯାଇ ପୁଣି ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା। ରଥ ଉପରେ ଶୋଭା ପାଉଥିବା ଶ୍ରୀଜଗନ୍ନାଥ, ବଡ଼ ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ଶୁଭଦ୍ରା ଏବଂ ଶ୍ରୀସୁଦର୍ଶନଙ୍କର ଅପୂର୍ବ ଓ ଅଲୌକିକ ଝଲକ ଖୁବ୍ ଅନନ୍ୟ ଥିଲା। ଭାରତୀୟ ଓ ବିଦେଶୀ ଭକ୍ତମାନେ ରଥାରୁଢ଼ ତିନିଠାକୁରଙ୍କର ଦିବ୍ୟ ଦର୍ଶନ କରି ବେଶ ଖୁସି ହୋଇଥିଲେ । ଉତ୍ସବରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା।
ସୂଚନାଯୋଗ୍ୟ, ନିକଟରେ ନିମ କାଠରେ ପୁରୀଠାରେ ନିର୍ମିତ କରାଯାଇଥିବା ଦିଅଁମାନଙ୍କର ପ୍ରତିମୂର୍ତ୍ତିଗୁଡ଼ିକୁ କୋରିଅର୍ ଯୋଗେ ମାଞ୍ଚେଷ୍ଟରକୁ ଅଣାଯାଇଥିଲା । ମାଞ୍ଚେଷ୍ଟରଠାରେ ଏହି ଚତୁର୍ଦ୍ଧା ମୂର୍ତ୍ତିଙ୍କର ସ୍ଥାପନା ହେବାଦ୍ୱାରା ଉତ୍ତର-ପଶ୍ଚିମ ଇଂଲଣ୍ଡ ଇଲାକାରେ ବସବାସ କରୁଥିବା ଓଡ଼ିଆ ଅଧିବାସୀମାନଙ୍କର ଦୀର୍ଘ ଦିନର ସ୍ୱପ୍ନ ସାକାର ହେଲା ବୋଲି ଉତ୍ସବର ପ୍ରଧାନ ଆୟୋଜକ ଓ ପ୍ରସିଦ୍ଧ ଜଗନ୍ନାଥ ଭକ୍ତ ଡକ୍ଟର ଶିବ ସେନାପତି ଓ ଶ୍ରୀମତୀ ରେଖା ସେନାପତି ମତପ୍ରକାଶ କରିଛନ୍ତି ।