ବିଶ୍ୱ ମାନଚିତ୍ରରେ ଶ୍ରୀକ୍ଷେତ୍ର ପାଇବ ସ୍ୱତନ୍ତ୍ର ପରିଚୟ, ପ୍ରସ୍ତାବିତ ଏୟାରପୋର୍ଟ ପାଇଁ ୧୧ ଶହ ୪୨ ଏକର ଜମି ଚିହ୍ନଟ

ପୁରୀ: ବିଶ୍ବ ମାନଚିତ୍ରରେ ଶ୍ରୀକ୍ଷେତ୍ର ପାଇବ ସ୍ବତନ୍ତ୍ର ପରିଚୟ । ସାକାର ହେବ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ । ଜାରି ରହିଛି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ । ସେଥିମଧ୍ୟରୁ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ଏକ ପ୍ରମୁଖ ଓ ମହତ୍ୱପୂର୍ଣ୍ଣ ପ୍ରକଳ୍ପ । ଏହି ପ୍ରକଳ୍ପର ପୂର୍ଣ୍ଣାଙ୍ଗ ନେଇ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବା ବେଳେ ଇତି ମଧ୍ୟରେ ପ୍ରି ଫିଜିବିଲିଟି ରିପୋର୍ଟ ପ୍ରଦାନ ସହିତ ଅବଷ୍ଟାକଲ ସର୍ଭେ ମଧ୍ୟ ସରିଛି । ବିମାନ ବନ୍ଦର ପାଇଁ ୧ ହଜାର ୧୪୨ ଏକର ଜମି ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୨୨୧ ଏକର ଜମି ଅଧିଗ୍ରହଣ ନେଇ ଜଣ ଶୁଣାଣି ଆରମ୍ଭ ହୋଇଥିବା ବେଳେ ଆଜି ସିପ ସରୁବାଲି ମୌଜାର ୧୫୩ ଏକର ଜମି ଅଧିଗ୍ରହଣକୁ ନେଇ ଜଣ ଶୁଣାଣି ଅନୁଷ୍ଠିତ ହୋଇଛି । ଏଥିରେ ଭାଗ ନେଇ ମତାମତ ପ୍ରଦାନ କରିବା ସହ ବିମାନ ବନ୍ଦର ନିର୍ମାଣକୁ ସ୍ବାଗତ କରିଛନ୍ତି ଲୋକେ । ଆସନ୍ତାକାଲି  ଷଣ୍ଢପୁର ମୌଜାର ବାକି ଏକର ଜମିର ଜନ ଶୁଣାଣି ଅନୁଷ୍ଠିତ ହେବ।

ଏୟାରପୋର୍ଟ ପ୍ରତିଷ୍ଠା ହେଲେ ପର୍ଯ୍ୟଟନର ବିକାଶ ହେବା ସହ ଗମନାଗମନ ସୁବିଧା ହେବ । ବିଶ୍ବ ମାନଚିତ୍ରରେ ପୁରୀ ଏକ ବିକଶିତ ସହରର ମାନ୍ୟତା ପାଇବ । ରାଜ୍ୟ ସରକାରଙ୍କ ଏହି ଯୋଜନା ବିଶ୍ୱ ସହ ଶ୍ରୀକ୍ଷେତ୍ରକୁ ଯୋଡିବାରେ ସହଯୋଗ କରିବ । ତେଣୁ ଏପରି ବିକାଶକୁ ନେଇ ସ୍ଥାନୀୟ ବାସିନ୍ଦା ସ୍ବାଗତ କରିଥିବା ବେଳେ ଏହି ପ୍ରକଳ୍ପ ନେଇ ନିଜ ଭିଟାମାଟି ଦେଇଥିବାରୁ ଗର୍ବ ଅନୁଭବ କରିଛନ୍ତି । ପୁରୀରେ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଦିଗରେ ପ୍ରଶାସନିକ ପକ୍ଷରୁ ତ୍ୱରିତ ପଦକ୍ଷେପ ଜାରିରହିଥିବା ବେଳେବେଳେ ବିମାନବନ୍ଦର ନେଇ ଚିହ୍ନଟ ଜମିରେ ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି ।