ବାଲେଶ୍ୱର, ଭଦ୍ରକରେ SRCଙ୍କ ସମୀକ୍ଷା: କୋଭିଡ ହସ୍ପିଟାଲରେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଉପରେ ଗୁରୁତ୍ୱ

1 min read
src-review-on-cyclone-preparation

ଭୁବନେଶ୍ୱର/ବାଲେଶ୍ୱର: ୱେଲ୍‌ମାର୍କ ଲୋ’ ପ୍ରେସରରେ ପରିଣତ ହେଲା ଲଘୁଚାପ । ଆସନ୍ତା ୧୨ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି  । ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହୋଇଛି  ଲଘୁଚାପ । ୨୪ ତାରିଖ ମଧ୍ୟରେ ବାତ୍ୟା ୟଶ୍‌ର ରୂପ ନେବ  । ଉତ୍ତର- ପଶ୍ଚିମ ଦିଗରେ ଗତିକରି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ଏହାର ପ୍ରଭାବରେ ୨୫ ତାରିଖରୁ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବ । ବାତ୍ୟା ୟଶ୍ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଘଣ୍ଟାପ୍ରତି ୫୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ । ୨୫ ତାରିଖରୁ ଉପକୂଳ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା ଏବଂ ପୁରୀରେ ପ୍ରବଳ ବର୍ଷା ହେବ । ୨୬ ତାରିଖ ବେଳକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଅପରପକ୍ଷରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ବାଲେଶ୍ୱରରେ ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । ବାତ୍ୟା ‘ୟଶ’ ପ୍ରଭାବରେ ଓଡ଼ିଶାର ଦୁଇଟି ଜିଲ୍ଲା ପ୍ରଭାବିତ ହେବ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିପାରେ । ସେହି ସମୟରେ ଓଡ଼ିଶାର ୨ଟି ଜିଲ୍ଲା ବାଲେଶ୍ୱର ଓ ଭଦ୍ରକ ବିଶେଷଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ଜିଲ୍ଲାରେ କିଭଳି ପ୍ରସ୍ତୁତ କରାଯାଇଛି ତାର ସମୀକ୍ଷା ପାଇଁ ବାଲେଶ୍ୱର ଓ ଭଦ୍ରକ ଗସ୍ତ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କରୋନା ସମୟରେ ଝଡ଼ ହେଲେ କିଭଳି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯିବ ଏବଂ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ତାର ଅନୁଧ୍ୟାନ କରିଛନ୍ତି ଏସଆରସି ।

ସେହିଭଳି ବାତ୍ୟା ସମୟରେ ବିଦ୍ୟୁତ ଯୋଗାଣର ସମୀକ୍ଷା କରିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସମସ୍ତ କୋଭି୍‌ଡ କେଆର ସେଣ୍ଟର, କୋଭିଡ୍‌ ହସ୍ପିଟାଲ ଓ ଡାକ୍ତରଖାନାକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରାଯିବ । ବିଦ୍ୟୁତ କଟିଲେ ଷ୍ଟାଣ୍ଡ ବାଏ ବ୍ୟବସ୍ଥା କରାଯାଇଛି  । ବାତ୍ୟା ମୁକାବିଲା ପାଇଁ ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି  । ମୁଖ୍ୟତଃ ଡିସ୍କମ କମ୍ପାନୀ ଟାଟାକୁ ଅଧିକ ସତର୍କ ଓ ସଜାଗ ରହିବାକୁ କୁହାଯାଇଛି  । ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେଲେ ତୁରନ୍ତ ସମାଧାନ ପାଇଁ ଦିଆଯାଇଛି ନିର୍ଦ୍ଦେଶ  । ବାତ୍ୟା ପରେ ବିଦ୍ୟୁତ ବ୍ୟବସ୍ଥା ସ୍ବାଭାବିକ କରିବା ପାଇଁ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି  । ଅତ୍ୟାଧୁନିକ ଯନ୍ତ୍ରପାତି ଏହି ଟିମ ପାଖରେ ରହିବ ଓ ସେମାନେ ରାସ୍ତା ସଫାକରି ବିଦ୍ୟୁତ ସରାବରାହକୁ ଠିକ କରିବେ  । ବାତ୍ୟା ସମୟରେ ଗ୍ରାଉଣ୍ଡ ଲେଭଲରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ କିଭଳି ଖାଦ୍ୟ ଓ ପାନୀୟ ଠିକ ଭାବେ ମିଳିବ, ସେନେଇ ବ୍ୟବସ୍ଥା କରାଯାଇଥିବା ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି  ।

Leave a Reply